‘ପଶ୍ଚିମବଙ୍ଗ ସୀମା ସିଲ ଅସମ୍ଭବ’, ଆସନ୍ତାକାଲି ଠାରୁ କୋଭିଡ ଅନଲାଇନ ପଞ୍ଜିକରଣ ପୋର୍ଟାଲ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୮୩ରେ ପହଞ୍ଚିସାରିଲେଣି । ଗତ କିଛି ଦିନ ହେଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଅଧିକାଂଶ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଲକଡାଉନ ଜାରି ରହିଥିଲେ ମଧ୍ୟ ଶତାଧିକ ଲୋକ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଛନ୍ତି । କିଏ ଆମ୍ବୁଲାନ୍ସରେ ତ କିଏ ବିଲରେ ଚାଲି ଚାଲି ଘରେ ପହଞ୍ଚିଛି । ଯାହାର ପରିଣାମ ସ୍ୱରୂପ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ପଶ୍ଚିମବଙ୍ଗ ସୀମାକୁ ସିଲ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ତେବେ ପଶ୍ଚିମବଙ୍ଗ ସୀମା ସିଲ କରିବା ଅସମ୍ଭବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆଜି ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି ।
ସେ କହିଛନ୍ତି ଯେ, ସୀମା ସିଲ ଅଧିକ କଡାକଡି କରାଯାଇଛି । ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ସମ୍ପୂର୍ଣ୍ଣ ସିଲ କରିବା ସମ୍ଭବ ନୁହଁ। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତସ୍ତରରେ ୫ ଜଣିଆ କମିଟି ସରପଞ୍ଚଙ୍କ ଅଧ୍ୟକ୍ଷତାରେ ହେବ। କମିଟିରେ ପଂଚାୟତ ସଂପାଦକ, ଶିକ୍ଷକ ଓ ଜିଆରଏସ ରହିବେ। ସଂଗରୋଧ କେନ୍ଦ୍ରର ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି । ଆସନ୍ତାକାଲି ଠାରୁ କୋଭିଡ ଅନଲାଇନ ପଞ୍ଜିକରଣ ପୋର୍ଟାଲ କାର୍ଯ୍ୟକ୍ଷମ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ