ପାଇପ ବିଛା କାର୍ଯ୍ୟରେ ନଷ୍ଟ ହେଉଛି ରାସ୍ତା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପ୍ରାୟ ୫/୭ବର୍ଷ ହେବ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଏଲଆଣ୍ଡଟି କମ୍ପାନୀ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଏଥିରେ ଅନେକ ରାସ୍ତାଘାଟ ନଷ୍ଟ ହେଉଛି । ପ୍ରାୟ ୧୦୦କୋଟି ଟଙ୍କା ବ୍ୟୟ ବରାଦରେ ଆଖୁଆପଦାଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ପାଣି ଟାଙ୍କି ସହିତ ପାଇପ ବିଛାଣ କାର୍ଯ୍ୟ ହେଉଛି । କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି କାମ ସାରିବାକୁ ଡେରି କରୁଥିବା ବେଳେ ପ୍ରକଳ୍ପ ନିର୍ମାଣ ପାଇଁ ସରକାରଙ୍କ ଠାରୁ ଅଧିକ ଅର୍ଥ ଆଣୁଛି । ଏହାସତ୍ତ୍ୱେ ପାଇପ ବିଛାଣ ବେଳେ ଯେଉଁଠି ରାସ୍ତାଘାଟ ନଷ୍ଟ ହେଉଛି ସେଠି କମ୍ପାନୀ ମରାମତି କରୁନଥିବା ଅଭିଯୋଗ ହେଉଛି । ଏବେ ବ୍ଲକର ସରସଦା, ମାଳଦା, ରହଣିଆ, ରାଢୋ ପ୍ରମୁଖ ଅଞ୍ଚଳରେ ପାଇପ ବିଛାଣ କାର୍ଯ୍ୟ ଜାରିରହିଛି । ଵିଶେଷ କରି ପୂର୍ତ୍ତ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ପାର୍ଶ୍ୱ ଗୁଡିକରେ ଜେସିବି ସାହାଯ୍ୟରେ ମାଟି ଉଠାଯାଇ ପାଇଁ ବିଛା ଯାଉଥିବା ବେଳେ ରାସ୍ତା ଗୁଡିକ ଦୁର୍ବଳ ହୋଇଯାଉଛି । ଏପରିକି ପାଇପ ବିଛାଣ ପାଇଁ କିଛି କଂକ୍ରିଟ ରାସ୍ତାକୁ ଭଙ୍ଗା ଯାଉଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ତାହାକୁ ମରାମତି କରାଯାଉନାହିଁ । ଫଳରେ ଲୋକ ମାନେ ଯାତାୟତ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ବିଭାଗ ସହିତ କମ୍ପାନୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହୁନଥିବାରୁ ଏଭଳି ମନମାନୀ କାର୍ଯ୍ୟ ହେଉଥିବା ଜଣାଯାଇଛି । ଏଥିପ୍ରତି ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


