ଗାଁ ଦାଣ୍ଡରେ ନବୀନ ଫ୍ୟାନଙ୍କ ନିର୍ବଚନୀ ପ୍ରଚାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି, ବିଜେପି, କଂଗ୍ରେସ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାରକୁ ସରଗରମ କରୁଥିବା ଦେଖାଯାଇଛି । ବିଭିନ୍ନ ଗୀତ ଜରିଆରେ ଗାଁ ଗାଁ ଓ ସାହି ସାହି ରେ ପ୍ରଚାର ଜମୁଥିବା ବେଳେ ଏଥିରେ ସାମିଲ ହେଉଛନ୍ତି ତୃଣମୂଳ କର୍ମୀଙ୍କ ଠାରୁ ଆରମ୍ଭ ନେତା । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଳକ ଅଂଚଳର ୨୩ଗୋଟି ପଞ୍ଚାୟତରେ ଆସନ୍ତା୧୮ତାରିଖ ମତଦାନ ପାଇଁ ଏବେଠୁ ନିର୍ବାଚନ ପ୍ରଚାର ସରଗରମ ହେଲାଣି । ଆଜି ନଗୁଆଁ ପଂଚାୟତ ବାହାଦଲପୁର ଠାରେ ବିଜେଡି ନେତା ଜୟନ୍ତ ମହାନ୍ତିଙ୍କ ନେତୃତ୍ୱରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ମାନସୀ ନାୟକ, ସମିତିସଭ୍ୟ ପ୍ରାର୍ଥୀ ନିଳାମ୍ବର ସାହୁ, ଜିଲ୍ଳା ପରିଷଦ ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ ପ୍ରଚାର ମଇଦାନକୁ ଓଲ୍ହାଇଛନ୍ତି । ଗାଁର ପ୍ରତ୍ୟକ ସାହିକୁ ଘରଘର ବୁଲି ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନାକୁ ଲୋକ ମାନଙ୍କ ନିକଟରେ ଉପସ୍ଥାପନ କରିବା ସହ ପ୍ରାର୍ଥୀ ମାନେ ଭୋଟ ପାଇଁ ନିବେଦନ କରୁଛନ୍ତି । ଏହା ସହିତ ବିଜେଡି ସମର୍ଥିତ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ପାଇଁ ନବୀନ ଫ୍ୟାନ ଭାବେ ପରିଚିତ ଜନୈକ ମୟୁରଭଞ୍ଜର ଯୁବକ ନବୀନଙ୍କ ଚର୍ଚ୍ଚିତ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖାଯାଉଛି । ବ୍ଲକର କୁରିଗାଁ ଠାରେ ମଧ୍ୟ ଆଜି ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ବଦ୍ରିନାରାୟଣ ଧଳ ପ୍ରଚାର କରିଛ ନ୍ତି। ଶ୍ରୀ ଧଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଅକ୍ଷୟ ସାମଲ, ସରପଞ୍ଚ ପ୍ରାର୍ଥୀନୀ ନନ୍ଦିନୀ ବେହେରା ଓ ସମିତିସଭ୍ୟ ପ୍ରାର୍ଥୀ ଶୁଶାନ୍ତ କୁମାର ପାତ୍ରଙ୍କ ପାଇଁ ୧୪ଗୋଟି ୱାର୍ଡ କୁ ବୁଲି ବୁଲି ପ୍ରଚାର କରିବା ସହ ଭୋଟ ପାଇଁ ନିବେଦନ କରିଛନ୍ତି । ଏହାଛଡା ରହଣିଆ, ମାଳଦା, ବାଲିପୋଖରୀ ,ନେରଡ଼ା ପ୍ରମୁଖ ପଞ୍ଚାୟତରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ପ୍ରଚାରକୁ ସରଗରମ କରିଛନ୍ତି ।


