ପାକିସ୍ତାନ ସହ କରତାରପୁର ସାହିବ କରିଡର ରାଜିନାମା ସ୍ୱାକ୍ଷରିତ

କରତାରପୁର ସାହିବ କରିଡର ପରିଚାଳନା ବ୍ୟବସ୍ଥା ଲାଗି ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଉଭୟ ପକ୍ଷ ଡେରା ବାବା ନାନକସ୍ଥିତ ଆନ୍ତର୍ଜାତିକ ସୀମାର ଜିରୋ ପଏଂଟ ଠାରେ ଏହି ରାଜିନାମାରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସହିତ ପଞ୍ଜାବ ସରକାରଙ୍କ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଗୁରୁ ନାନକ ଦେବଜୀଙ୍କ ୫୫୦ତମ ଜୟନ୍ତୀର ଐତିହାସିକ ଅବସରକୁ ସାରା ଦେଶ ତଥା ବିଶ୍ୱରେ ମହାସମାରୋହରେ ପାଳନ କରିବା ପ୍ରସ୍ତାବକୁ କେନ୍ଦ୍ର ବ୍ୟାବିନେଟ ନଭେମ୍ବର ୨୨, ୨୦୧୮ରେ ଅନୁମୋଦନ କରିଥିଲା ।
ଏହି ଐତିହାସିକ ନିଷ୍ପତି ନିଆଯିବା ସମୟରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ଡେରା ବାବା ନାନକରୁ ଆନ୍ତର୍ଜାତିକ ସୀମା ପର୍ଯ୍ୟନ୍ତ କରତାରପୁର ସାହିବ କରିଡର ନିର୍ମାଣ ଓ ବିକାଶ ପ୍ରସ୍ତାବକୁ ମଞ୍ଜୁର କରିଥିଲେ । ବର୍ଷର ସବୁସମୟରେ ତୀର୍ଥଯାତ୍ରୀଙ୍କୁ ଗୁରୁଦ୍ୱାରା ଦରବାର ସାହିବ, କରତାରପୁର ଯାତ୍ରା ନିମନ୍ତେ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତି ନିଆଯାଇଥିଲା ।
ଏହି ରାଜିନାମା ସ୍ୱାକ୍ଷରିତ ହେବା ସହିତ କରତାରପୁର ସାହିବ କରିଡର ପରିଚାଳନା ପାଇଁ ଏକ ଔପଚାରିକ ରୂପରେଖ ପ୍ରସ୍ତୁତ କରାଯାଇଛି ।
ବୁଝାମଣାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା:-
-;;ଭାରତୀୟ ବଂଶୋଦ୍ଭବ ସବୁ ଧର୍ମ ଓ ବର୍ଣ୍ଣର ଭାରତୀୟ ତୀର୍ଥଯାତ୍ରୀ ଏହି କରିଡରର ଉପଯୋଗ କରିପାରିବେ;
-;;ଯାତ୍ରା ଭିସା ମୁକ୍ତ ହେବ;
-;;ତୀର୍ଥଯାତ୍ରୀଙ୍କୁ କେବଳ ଏକ ବୈଧ ପାସପୋର୍ଟ ନେବାର ଆବଶ୍ୟକତା ରହିଛି;
-;;ଭାରତୀୟ ବଂଶୋଦ୍ଭବ କୌଣସି ବ୍ୟକ୍ତି ନିଜ ଦେଶର ପାସପୋର୍ଟ ସହିତ ଓସିଆଇ କାର୍ଡ ସାଙ୍ଗରେ ନେବାର ଆବଶ୍ୟକତା ରହିଛି;
-;;କରିଡର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲିବ, ସକାଳୁ ଯାତ୍ରା କରିଥିବା ତୀର୍ଥଯାତ୍ରୀଙ୍କୁ ସେହିଦିନ ଫେରିବାକୁ ପଡିବ;
-;;ଆଗୁଆ ସୂଚିତ ହେବାକୁ ଥିବା ଅଧିସୂଚିତ ଦିନଗୁଡ଼ିକୁ ବାଦ ଦେଇ କରିଡର ବର୍ଷତମାମ ଚାଲୁ ରହିବ ଯାହାର ସୂଚନା ପୂର୍ବରୁ ଦିଆଯିବ;
-;;ତୀର୍ଥଯାତ୍ରୀଙ୍କୁ ଏକାକୀ କିମ୍ବା ଦଳବଦ୍ଧ ହୋଇ ଯିବା ପାଇଁ ସୁବିଧା ମିଳିବ, ପାଦ ଚାଲି ଯାତ୍ରା କରିବାର ବିକଳ୍ପ ମଧ୍ୟ ରହିବ;
-;;ଭାରତ ଯାତ୍ରା ତାରିଖର ୧୦ ଦିନ ପୂର୍ବରୁ ତୀର୍ଥଯାତ୍ରୀଙ୍କ ତାଲିକା ପାକିସ୍ତାନକୁ ପଠାଇବ । ଯାତ୍ରା ଆରମ୍ଭ ହେବାର ଦିନ ପୂର୍ବରୁ ତୀର୍ଥଯାତ୍ରୀଙ୍କୁ ସୂଚିତ କରାଯିବ;
-;;ଯଥେଷ୍ଟ ପରିମାଣର ଲଙ୍ଗର ଓ ପ୍ରସାଦ ବିତରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଲାଗି ପାକିସ୍ତାନ ପକ୍ଷରୁ ଭାରତକୁ ପ୍ରତିଶ୍ରୁତି ଦିଆଯାଇଛି ।
ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ଠାରୁ ଯାତ୍ରୀ ସେବା ଶୁଳ୍କ ବାବଦରେ ୨୦ ଆମେରିକୀୟ ଡଲାର ଆଦାୟ କରିବା ଲାଗି ପାକିସ୍ତାନର ଜିଦ ମୁଖ୍ୟ ଚର୍ଚ୍ଚାର ବିଷୟ ଥିଲା । ପାକିସ୍ତାନ ତୀର୍ଥଯାତ୍ରୀଙ୍କ ଠାରୁ କୌଣସି ଶୁଳ୍କ ଆଦାୟ ନକରିବା ପାଇଁ ଭାରତ ଲଗାତର ଭାବେ ଅନୁରୋଧ କରି ଆସିଥିଲା । ଏହା ଭାରତୀୟ ତୀର୍ଥଯାତ୍ରୀଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ଅନୁକୂଳ ନୁହେଁ ବୋଲି ଦର୍ଶାଇ ବିଗତ ତିନୋଟି ଯୁଗ୍ମ ସଚିବସ୍ତରୀୟ ବୈଠକ ଓ କୁଟନୈତିକ ସ୍ତରରେ ଏହା ଉପରେ ବାରମ୍ବାର ଜୋର ଦିଆଯାଇଥିଲା । ଶୁଳ୍କ ଛାଡ କରିବା ପାଇଁ ରାଜି ନହେବାରୁ ପାକିସ୍ତାନ ପ୍ରତି ଭାରତ ସରକାର ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦିଓ ଶ୍ରୀଗୁରୁ ନାନକଦେବଜୀଙ୍କ ୫୫୦ତମ ପ୍ରକାଶବର୍ଷ ପୂର୍ବରୁ ତୀର୍ଥଯାତ୍ରୀଙ୍କୁ କରତାରପୁର ସାହିବ ଭ୍ରମଣ କରିବାର ସୁବିଧା ପ୍ରଦାନ କରିବା ଲାଗି ଏହି କରିଡରକୁ ଯଥା ସମୟରେ କାର୍ଯ୍ୟକ୍ଷମ କରିବା ପାଇଁ ଭାରତ ଆଜି ରାଜିନାମାରେ ସ୍ୱାକ୍ଷର କରିବାକୁ ସହମତ ହୋଇଛି, କିନ୍ତୁ ଭାରତ ସରକାର ଶୁଳ୍କ ଲାଗୁ ବିଷୟରେ ପୁନର୍ବିଚାର କରିବା ପାଇଁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ସମସ୍ତ ଋତୁରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରସଙ୍ଗ ଭାରତ ଲଗାତାର ଉତ୍‌ଥାପନ କରି ଆସିଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଭାରତ ପଟେ ଏକ ସେତୁ ଏବଂ ଏକ ଅସ୍ଥାୟୀ ରାସ୍ତାର ନିର୍ମାଣ କରିଛନ୍ତି । ପାକିସ୍ତାନ ନିଜ ପଟେ ଏକ ସେତୁ ନିର୍ମାଣ କରିବା ଲାଗି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ