ପାଣି ପାଇଁ ଜଳସେଚନ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ 

ହାଟଡିହି,(ବିକାଶ ବିଶ୍ୱାଳ) : ଗୋଟିଏ ପଟେ ଆଜକୁ ୧୫/୨୦ଦିନ ହେଲା ବର୍ଷା ନାହିଁ । ବିଲ ଶୁକିଯାଇ ଫାଟିବାକୁ ବସିଲାଣି । ଅନ୍ୟପଟେ ଜଳସେଚନ ବିଭାଗର କେନାଲ ଦ୍ୱାରା ଯେତିକି ପାଣି ଯାଉଛି ତାକୁ ଅଟକାଇ ଲୋକେ ମାଛ ଧରିବାରେ ବ୍ୟସ୍ତ ଏହାକୁ ନେଇ ଆଜି ଆଗିରିଆ ଗ୍ରାମର ଚାଷୀମାନେ ଜଳସେଚନ ବିଭାଗର କାର୍ଯ୍ୟାଳୟ ଘେରାଉ କରିଥିଲେ । ମାତ୍ର କେହି ଅଧିକାରୀ ସେଠାକୁ ନଆସିବାରୁ ଓ କାହାର ସାକ୍ଷାତ ନପାଇବାରୁ ଚାଷୀମାନେ ନିରାଶ ହୋଇ ଫେରି ଯାଇଛନ୍ତି । ଚାଷୀ ମାନଙ୍କ କହିବାନୁଯାଇ ଆଗିରିଆ ଗ୍ରାମରେ ୯୦ଭାଗ ଲୋକ କେବଳ ଧାନଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ଆରମ୍ଭରୁ ଏପଟେ ଭଲ ବର୍ଷା ନହେବାରୁ ଚାଷ କାର୍ଯ୍ୟରେ ବିଳମ୍ବ ଘଟିଥିଲା । କିନ୍ତୁ ଏବେ ୧୫/୨୦ଦିନ ହେଲା ବର୍ଷା ନହେବାରୁ ଚାଷଜମି ଗୁଡିକ ଫାଟି ଗଲାଣି । ବିଲରେ ପାଣି ମଡାଇବା ପାଇଁ ଜଳସେଚନ ବିଭାଗ ପର୍ଯ୍ୟନ୍ତ ପାଣି ଛାଡୁ ନାହିଁ । ଗୋବିନ୍ଦପୁର ମାଇନର କେନାଲରେ ଅଳ୍ପ କିଛି ପାଣି ଛଡାଯାଉଥିବାବେଳେ ତାକୁ କିଛି ବ୍ୟକ୍ତ ଅଟକାଇ ମାଛ ଧରିବାରେ ଲାଗିଛନ୍ତି । ମାଛ ଧରାକୁ ବାରଣ କରିବାରୁ ସେମାନେ ଆଜି ଚାଷୀ ମାନଙ୍କୁ ଗାଳି ଗୁଲଜ କରିବା ସହିତ ମାରିବାକୁ ଆସିବାରୁ ଚାଷୀମାନେ ବାଧ୍ୟ ହୋଇ ଆଜି ଛେନାପଦି ଜଳସେଚନ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଯଦି ଦିନେ ଦୁଇଦିନ ଭିତରେ ଚାଷ ଜମିକୁ ପାଣି ନଯାଏ ତେବେ ଧାନଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଥିଲେ । ଗ୍ରାମର ସଦାନନ୍ଦ ଜେନା, ଜନାର୍ଦ୍ଦନ ରାଉତ, ସୁଦାମ ଜେନା, ବିମ୍ବାଧର ଜେନା, ମଧୁ ଜେନା, ଭାଗିରଥି ରାଉତ, ସୁଶିଆ ଜେନା, ଭଗବାନ ଜେନା, ନରହରି ଜେନା, କାଳନ୍ଦୀ ସେଠୀ, ପର୍ଶୁରାମ ମହାପାତ୍ର, ପ୍ରଫୁଲ ଜେନା, ପିଣ୍ଟୁ ବେହେରାଙ୍କ ସମେତ ୫୦ରୁ ଉର୍ଦ୍ଧ ଚାଷୀ ସକାଳୁ କାର୍ଯ୍ୟାଳୟ ପରିସରରେ ବସିଥିଲେ ମଧ୍ୟ ଜଳସମ୍ପଦ ବିଭାଗର କୌଣସି ଅଧିକାରୀ ଅଫିସକୁ ଆସିନଥିଲେ । ଫଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଯଦି ତୁରନ୍ତ ପାଣି ଯୋଗାଣ ନହୁଏ ତେବେ ସେମାନେ ବାଧ୍ୟହୋଇ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ