ପାବନଶ୍ରୀକ୍ଷେତ୍ରରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଓ ଗଜାନନ ବେଶ

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର  ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉମାନଙ୍କ  ମହାସ୍ନାନ ଉତ୍ସବ ଆନନ୍ଦ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଭୋର ୪ ଟା ୩୦ ମିନଟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତି କରାଯାଇ ବଲ୍ଲଭଭୋଗ, ଦ୍ୱାରପାଳ ପୂଜା ସମାପନ ପରେ ଠାକୁର ମାନଙ୍କ  ଅବକାଶ, ମଇଲମ ଓ ଅନ୍ୟାନ ନିତ୍ୟ ସେବା ଆରମ୍ଭ କରାଯାଇଥିଲା । ଦିନ ସାଢେ ୧୦ ଟାରେ ଧାଡ଼ି ପହଣ୍ଡିରେ ବିଭିନ୍ନ ବାଦ୍ୟ ବାଜଣା, ଶଙ୍ଖଧ୍ୱନି, ହୁଳହୁଳି, ଛତ୍ରଚାମର ଆଲଟ ସହ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା ।  ଏଠାରେ ସମୁଦ୍ର ଓ ବିଭିନ୍ନ ପବିତ୍ର ନଦୀଜଳ ସମିଶ୍ରଣରେ ଶ୍ରୀମନ୍ଦିରସ୍ଥ ସୁନାକୂଅରୁ ସଂଗୃହୀତ ୧୦୮ କୁମ୍ଭ ଜଳରେ ବିଭିନ୍ନ ପ୍ରକାର ସୁବାଷିତ ଦ୍ରବ୍ୟ ଓ ମୋହଷଧି ମିଶ୍ରଣ ପୂର୍ବକ   ସ୍ନାନ ଜଳରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କୁ ୩୩, ଶ୍ରୀ ଜଗନ୍ନାଥଙ୍କୁ ୩୫, ଶ୍ରୀ ସୁଭଦ୍ରାଙ୍କୁ ୨୨ ଓ ଶ୍ରୀ ସୁଦର୍ଶନଙ୍କୁ ଯଥାକ୍ରମେ ୧୮ କୁମ୍ଭ ଜଳରେ ମହାସ୍ନାନ କରାଯାଇଥିଲା । ବିଭିନ୍ନ ଜଡିବୁଟି, କର୍ପୁର, ଚନ୍ଦନାଦି ସୁବାଷିତ ଦ୍ରବ୍ୟ, ଗଙ୍ଗାଜଳ, ସମୁଦ୍ରଜଳ ମିଶ୍ରିତ ମନ୍ତ୍ରପୁତି ୧୦୮ କୁମ୍ଭ ଜଳରେ ଶ୍ରୀଜୀଉ ମାନଙ୍କ ମହାସ୍ନାନ କରାଯାଇଥିଲା । ସ୍ନାନ ପରେ ପରେ ଶ୍ରୀଜୀଉ ମାନଙ୍କୁ ଫୁଲରେ ସୁସଜ୍ଜିତ କରାଯାଇଥିଲା । ବିବିଧ ଫଳ ଭୋଗ, ସପ୍ତଦୀପାଳତି ପରେ ସଙ୍ଖୁଡି ଭୋଗ ଅର୍ପଣ କରାଯାଇଥିଲା । ଅପରାହ୍ନ ପ୍ରାୟ ୩ଟାରେ ମହାପ୍ରଭୁ ମାନେ ଆକର୍ଷଣୀୟ ଦୁର୍ଲଭ ଗଜାନନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ।  ମନ୍ଦିରର ସେବାଧିପତି ଲିଙ୍ଗରାଜ ସାହୁ ମଙ୍ଗଳାର୍ପଣ ସହ ସ୍ନାନ ବେଦୀରେ ଛେରାପହଁରା କରିଥିଲେ । ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ସହାୟକ ପଣ୍ଡିତ ସଞ୍ଜିବ ଦାଶ ଶର୍ମା ବୈଦିକ ରୀତିରେ  ଶ୍ରଜୀଉମାନଙ୍କ ସମସ୍ତ ପୂଜାନୀତି କରାଇଥିଲେ । ଶ୍ରଜୀଉ ମାନଙ୍କ ଅଙ୍ଗସେବକ ତଥା ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା, ସହାୟକ ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ଶିଶିର ପଣ୍ଡା ପ୍ରମୁଖ ଶ୍ରୀଜୀଉ ମାନଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରିଥିଲେ ।  । ସାନ୍ଧ୍ୟ ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା । ସ୍ନାନ ପୂର୍ଣ୍ଣିମା ଯୋଗୁଁ ଶ୍ରୀ ମନ୍ଦିରରେ ଗହଳଚହଳ ପ୍ରତ୍ୟୁଷରୁ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା । ରାତି ୧୦ ଟାରେ ଶ୍ରୀ ବିଗ୍ରହମାନଙ୍କୁ ବିଧିି ଅନୁଯାୟୀ ଗୁପ୍ତ ଅଣସର ଗର୍ଭଗୃହକୁ ପହଣ୍ଡି କରାଯାଇଥିଲା । ଶ୍ରୀ ବିଗ୍ରହ ମାନେ ଅଣବସରରେ ଗୁପ୍ତ ସେବାରେ ରହିବେ ଓ ଦର୍ଶନ ଦେବେ ନାହିଁ । ତେଣୁ ମନ୍ଦିରରେ ଆସନ୍ତା କାଲି ଠାରୁ ପଣିଦିଅଁ ଓ ଅଲାରନାଥଙ୍କ ପୂଜାର୍ଚ୍ଚନା କରାଯିବ । ଏହି ଉତ୍ସବକୁ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ପ୍ରଶାସନ ସେବକ ନିର୍ମଳ ମିଶ୍ର,  ସେବାଧିପତି ଲିଙ୍ଗରାଜ ସାହୁ, କାର୍ଯ୍ୟକାରୀଣି ସଭାପତି ସେବକ ଜଗନ୍ନାଥ ସାହୁ, ସମ୍ପାଦକ ସେବକ ଲୋକନାଥ ସାହୁ, ହରିହର ପଣ୍ଡା, ମନମୋହନ ଦାଶ, ପ୍ୟାରୀମୋହନ ପାଢି, ଯୁଗଳ ପଣ୍ଡା, ମନୋଜ ପାଢି, ଜଗନ୍ନାଥ ସାହୁ, ଉମାଚରଣ ପଣ୍ଡା, ଶିବରାମ ପଟ୍ଟନାୟକ, ନୃସିଂହ ପ୍ରସାଦ ପଟ୍ଟନାୟକ, ଅଶୋକ ସାମନ୍ତରା, ସୁଦର୍ଶନ ପାଣିଗ୍ରାହୀ, ଉପେନ୍ଦ୍ର ପାତ୍ର, ସୁବାଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁରୂପ ଭାବେ ହିଞ୍ଜିିଳିକାଟୁ ପୌରାଞ୍ଚଳ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର, ପାଟଣା ସାହି ସ୍ଥିତ ଜଗନ୍ନାଥ ମନ୍ଦିର ସମେତ ନିକଟବର୍ତ୍ତୀ  ଅଞ୍ଚଳର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ମହାଆଡ଼ମ୍ବର ସହକାରେ ଶ୍ରୀ ଜୀଉମାନଙ୍କ  ମହାସ୍ନାନ ଉତ୍ସବ ସହ ଶ୍ରୀଜୀଉ ମାନଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ