ପାରଳାର ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କ ଶୋକସଭା ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସେହି ମହାନ୍ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ସଭାରେ ଅନ୍ୟତମ ଅତିଥି ରୂପେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ଏକାଡେମୀର ସଦସ୍ଯ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଓ ସାହିତ୍ୟିକ ତଥା ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଭ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଯୋଗ ଦେଇ ସଙ୍ଗୀତ ଜଗତର ଏକ ଉଜ୍ଜ୍ୱଳ ତାରକାର ଅନ୍ତ ଘଟିଥିବା ସହ ଏହା ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ। ଏଥିସହ ଆଇନଜୀବୀ ଇତିଶ୍ରୀ ମହାପାତ୍ର, ଶିକ୍ଷୟିତ୍ରୀ ବବିତା ପୁରୋହିତ ନିଜର ଶୋକ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଭାରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ। ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଶାନ୍ତିଲତା ବାରିକଙ୍କ ସୁମଧୁର ଭଜନ ପରିବେଷଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର କୁମାର ରଥ, ଗିରିଶ ଚନ୍ଦ୍ର ରଥ ଓ ସରୋଜ କୁମାର ପଣ୍ଡା ପରିଚାଳନା କରିଥିଲେ।


