ପାରଳା ପୌର ପରିଷଦ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଗଠନ ହୋଇଥିବା ସ୍ୱଚ୍ଛ ସାଥୀ ଦଳଙ୍କ ଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ସୁଖିଲା ବର୍ଜ୍ୟବସ୍ତୁ ଏବଂ ଓଦା ବର୍ଜ୍ୟବସ୍ତୁକୁ କିପରି ପରିଚାଳନା କରିବେ ଏବଂ ଲୋକମାନେ ପୌର ପରିଷଦର ବିଭିନ୍ନ ବର୍ଜ୍ୟବସ୍ତୁ ଯାନବାହାନରେ ଦେବେ ସେ ବିଷୟରେ ସଚେତନ କରାଯାଇଛି । ମୁଖ୍ୟତଃ ଘରମାନଙ୍କରେ ବିଭିନ୍ନ ପନିପରିବା ଏବଂ ବିଭିନ୍ନ ଓଦା ବର୍ଜ୍ୟବସ୍ତୁ ବାହାରିଥାଏ ଯାହାକୁ କି ପୌର ପରିଷଦ ଦ୍ୱାରା ଗଠନ କରାଯାଇଥିବା ସ୍ୱତନ୍ତ୍ର ଯାନରେ ଲୋକମାନଙ୍କୁ ପକାଇବା ପାଇଁ କୁହାଯାଇଛି । ସେହିପରି ଜରି, କାଗଜ ଇତ୍ୟାଦି ବିଭିନ୍ନ କଠିନ ତଥା ସୁଖିଲା ବର୍ଜ୍ୟବସ୍ତୁକୁ ଅନ୍ୟ ଏକ ସ୍ଥାନରେ ପକାଇବାପାଇଁ ସଚେତନ କରାଯାଇଛି । ଏଥିପାଇଁ ପୌର ପରିଷଦ ପକ୍ଷରୁ ସଚେତନତା ସଭା କରାଯାଇ ଲୋକମାନଙ୍କୁ ସଚେତନ କରିବାପାଇଁ ସଚେତନ କରାଯାଇଛି । ଏହାସହ ୨୦୨୦-୨୧ ସ୍ୱଚ୍ଛ ସର୍ବେକ୍ଷଣକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ସ୍ୱଚ୍ଛସାଥୀମାନେ ପାରଳାଖେମୁଣ୍ଡି ପୌରପରିଷଦର ସମସ୍ତ ୧୬ଗୋଟି ୱାର୍ଡକୁ ବୁଲି ବୁଲି ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିବା ଓ ସ୍ଲୋଗାନମାନ ଦେଇ ଥିବାର ଦେଖିବାକୁ ମିଳିଥିଲା । ଏମାନେ ମୁଖ୍ୟତଃ ‘ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା’ ପରିମଳର ନୂଆ ପରିଭାଷା ସାଧାରଣଙ୍କ ପାଖରେ ପହଞ୍ଚାଇଥିଲେ । ମୁଖ୍ୟତଃ ପ୍ଲାଷ୍ଟିକ ଜିନଷର ବ୍ୟବହାର ନକରି ସହରକୁ ପ୍ଲାଷ୍ଟିକ ମୁକ୍ତ ସହ କରିବାପାଇଁ ସମସ୍ତେ ସହଯୋଗ କରିବାପାଇଁ ଏହି ସ୍ୱଚ୍ଛସାଥି ମାନେ ସଚେତନ କରାଇଥିଲେ । ସେହିପରି ପାରଳା ପୌର ପରିଷଦ ପକ୍ଷରୁ ପ୍ରତିଦିନ ଏହି ବର୍ଯ୍ୟବସ୍ତୁ ଗୃହ ମାନଙ୍କରୁ ଆଣିବାପାଇଁ ଏକ ସ୍ୱତନ୍ତ୍ର ଯାନ ଚାଳିତ ହେଉଛି,ସେଥିରେ କଠିନ ବର୍ଜ୍ୟବସ୍ତୁ ଓ ତରଳ ବର୍ଜ୍ୟବସ୍ତୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଯାନକୁ ସମସ୍ତ ପରିବାର ଗୁଡିକ ସହଯୋଗ କରିବାପାଇଁ ନିବେଦନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନିର୍ଦ୍ଦେଶରେ ହୋଇଥିବାର ଜଣାପଡିଛି ।


