ପାରାଦୀପ ଲାଇଟ ହାଉସ ନିକଟରେ ଅଘଟଣ : ସମୁଦ୍ରରେ ବୁଡି ଛାତ୍ର ନିଖୋଜ

ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ରରେ ବୁଡିଯାଇ ଜଣେ ସ୍କୁଲ ଛାତ୍ର ନିଖୋଜ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ପାରାଦୀପର ବେଥାନୀ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ର ଶନିବାର ଦିନ ସ୍କୁଲ ଛୁଟି ପରେ ସାଙ୍ଗ ମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ ପ୍ରବଳ କରେଂଟରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ । ତେବେ ଲଘୁଚାପ ଜନିତ ଅଶାନ୍ତ ସମୁଦ୍ରର ପ୍ରଖର ଶ୍ରୋତରେ ଛାତ୍ର ଜଣକ ଭାସି ଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ନିଖୋଜ ଛାତ୍ର ଜଣକ ପାରାଦୀପ ମଧୁବନ ସ୍ଥିତ ଗୋପାଳ ଜୀଉ କଲୋନୀର ପ୍ରମୋଦ କୁମାର ଦାସଙ୍କ ପୁଅ ପ୍ରୀତମ ଦାସ ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ପାରାଦୀପ ଜଟାଧାର ମୁହାଣ ପୋଲିସ ଓ ଅଗ୍ନିଶମ ବିଭାଗ ଉପସ୍ଥିତ ରହି ଘଟଣାର ଅନୁସନ୍ଧାନ କରୁଥିବା ବେଳେ ସମୁଦ୍ର କୁଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପାରାଦୀପ ବେଳାଭୂମୀକୁ ବିଭିନ୍ନ ଅଂଚଳରୁ ପର୍ଯ୍ୟଟକ ମାନେ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିରୋଧ ମୂଳକ ପଦକ୍ଷେପ ଓ ସତର୍କତା ସୂଚନା ଫଳକ ନଥିବା କାରଣରୁ ଅନେକ ସମୟରେ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକେ ମୃତ୍ୟୁ ମୁଖରେ ପଡୁଥିବା ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏତଦବ୍ୟତିତ ଏହି ବିପଦପୂର୍ଣ୍ଣ ସମୁଦ୍ରରେ ଗାଧୋଇବା ପାଇଁ ବାରଣ ଥିବା ଏବଂ ଏହାକୁ ତନଖି କରିବା ପାଇଁ ପୋଲିସର ପ୍ୟାଟ୍ରୋଲିଂ ଅଭାବରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ