ପିପୁଲ୍ସ ସାଇନ୍ସ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପିପୁଲ୍ସ ସାଇନ୍ସ ଇନ୍ଷ୍ଟିଚ୍ୟୁଟ ଡ଼େରାଡ଼ୁନ ଓ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ମିଳିତ ଉଦ୍ୟମରେ ଭୁବନେଶ୍ୱରର ମହବୀର ବସ୍ତି, ଧିରୁକଟି ବସ୍ତି, ପୁରୁଷୋତ୍ତମ ବସ୍ତି, ଝରଣା ବସ୍ତି, ଜନତା ଲଜ୍ ସମେତ ପ୍ରାୟ ୧୨ଟି ବସ୍ତିରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ବସ୍ତିରେ ପିଲା ମାନଙ୍କୁ ନେଇ ସଚେତନତା କରାଇବା, ବସ୍ତିର ଏସ୍ଏଚ୍ଜି ମହିଳାମାନଙ୍କୁ ନେଇ ବୃକ୍ଷରୋପଣ କରିବା ଏବଂ ପୁରୁଷମାନଙ୍କୁ ନେଇ ବିଭିନ୍ନ ଅଞ୍ଚଳକୁ ପରିସ୍କାର ପରିଚ୍ଛନ୍ନ ରଖିବା ଆଦି ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଉପରେ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏତଦ୍ବ୍ୟତୀତ ବସ୍ତିଗୁଡ଼ିକରେ ବାହାରେ ମଳତ୍ୟାଗ ନକରିବା ଏବଂ ସ୍ୱଚ୍ଛ ପରିମଳ ପାଇଁ ବସ୍ତିମାନଙ୍କରେ ଶୌଚାଳୟ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ସଭାପତି ପ୍ରତାପ କୁମାର ସାହୁ, ସହ ସଂଯୋଜକ ମଧୁସ୍ମିତା, ଗୀତାଞ୍ଜଳି ସାହୁ, ଲୀଳାବତୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।


