ପିଲାଙ୍କ କାଫେ
ଆପଣମାନେ ପୂର୍ବରୁ ଅନେକ କାଫେ ବିଷୟରେ ଶୁଣିଥିବେ ତଥା ସେଠାକୁ ଯାଇଥିବେ ମଧ୍ୟ । କିନ୍ତୁ କେବେ ପିଲାଙ୍କ କାଫେ ବିଷୟରେ ଶୁଣିଛନ୍ତି କି ? ଏଭଳି ଏକ କାଫେ ରହିଛି ନେଦରଲାଣ୍ଡର ଆମସଷ୍ଟର୍ଡାମରେ, ଯାହାକୁ ଛୋଟ ଛୋଟ ପିଲାମାନେ ସଂଚାଳନ କରନ୍ତି । ଏହି କାଫେରେ ରୋଷେୟା, ଓ୍ୱେଟର, କ୍ୟାସିଅର୍ ଓ ଡିସ୍ଓ୍ୱାସର ଭାବେ ଆପଣମାନେ ଏଠାରେ କେବଳ ପିଲାମାନଙ୍କୁ ହିଁ ଦେଖିବାକୁ ପାଇବେ । କିଣ୍ଡରକୁକ୍ ନାମକ ଏହି ୟୁନିକ୍ କାଫେରେ ୫ରୁ ୧୨ ବର୍ଷର ପିଲାମାନଙ୍କୁ ରେସ୍ତୋରାଁ ସଂଚାଳନ କରି ଶିଖାଇବା ସହ ନିଯୁକ୍ତି ଦିଆଯାଇଛି। ପିଲାମାନେ ଏଠାରେ ଖାଦ୍ୟ ରୋଷେଇ, ପରଷିବା, ସଫାସୁତୁରା ତଥା ବାର୍ଟେଣ୍ଡିଂ ଏବଂ ବିଲିଂ କରିବା ଶିଖନ୍ତି । ଏହି କାଫେ ଗତ ୩୦ ବର୍ଷ ହେଲା ଏଠାରେ ରହିଆସିଛି । ଏହା ପିଲାମାନଙ୍କୁ ପରିଶ୍ରମ କରିବା ଶିଖାଇବାର ଏକ ଅଦ୍ଭୁତ ପ୍ରୟାସ । ଏଠାକାର ମେନ୍ୟୁରେ ହାଲୁକା ସ୍ନାକ୍ସ, ମିଠେଇ, ପିଜ୍ଜା, ପେଟିସ୍, ବର୍ଗର୍ ଏବଂ ସଫ୍ଟ ଡ୍ରିଙ୍କ ମିଳିବ। ଏହି ଜିନିଷଗୁଡିକ ଖୁବ୍ ସହଜରେ ପିଲାଙ୍କ ଦ୍ୱାରା ତିଆରି କରାଯାଇପାରୁଛି । କାମ ସରିବା ପରେ ପିଲାମାନେ ନିଜ ମାତାପିତାଙ୍କ ସହ ବସି ଏଠାରେ ଭୋଜନ କରନ୍ତି । ଏଠାରେ ପିଲାମାନଙ୍କ ଦେଖାଶୁଣା କରିବା ପାଇଁ ଭଲିଣ୍ଟିୟର୍ସମାନେ ମଧ୍ୟ ଉପସ୍ଥିତ ଥାନ୍ତି ।


