ପୁଣି ଚର୍ଚ୍ଚାରେ ଗଜପତି ଏସପି ଲୋକଙ୍କୁ ଶିଖାଇଲେ ଫିଟ୍ନେସ ମନ୍ତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲାର ମହିଳା ଏସପି ସାରା ଶର୍ମା ପୁଣି ଚର୍ଚ୍ଚାରେ ଆସିଛନ୍ତି । ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ଅମୁଲ୍ୟ ସମ୍ପଦ । ଏହାର ମୁଳମନ୍ତ୍ର କରି ଲୋକଙ୍କୁ ସ୍ୱାସ୍ଥ୍ୟବାନ କରାଇବା ପାଇଁ ମିଶନ୍ ଫିଟ୍ନେସ ନାମରେ ଏକ ନୁତନ ଶାରୀରିକ ବ୍ୟାୟାମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଗତକାଲି ମଙ୍ଗଳବାର ଠାରୁ ଏହା ଆରମ୍ଭ ହୋଇଛି । ପ୍ରତ୍ୟେକ ମଙ୍ଗଳବାର ଦିନ ଏହା ଅନୁଷ୍ଠିତ ହେବା ସ୍ଥିର ହୋଇଛି । ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମ ପରିସରରେ ଜିଲା ପୋଲିସ ପକ୍ଷରୁ ଏହି ଫିଟ୍ନେସ ଶିବିର ଆରମ୍ଭ ହୋଇଛି । ଏହି ଫିଟ୍ନେସ ର୍ଯ୍ୟକ୍ରମକୁ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଛି । ଆଜିର ସମାଜରେ ସମସ୍ତେ ନିଜ ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କରିବା ନିତାନ୍ତ ଆବଶ୍ୟକ ଏବଂ ପ୍ରତି ବ୍ୟକ୍ତି ନିଜେ ବ୍ୟାୟାମ କରିବା ସହ ଅନ୍ୟମାନଙ୍କୁ ଶାରୀରିକ ବ୍ୟାୟାମ କରିବାପାଇଁ ସଚେତନତା କରିବା ଆବଶ୍ୟକ ବୋଲି ଏହି କାର୍ଯ୍ୟକ୍ରମରେ ଏସପି ସାରା ଶର୍ମା ପ୍ରକାଶ କରି ବ୍ୟାୟମ କରିବା ଦ୍ୱାରା ମନୁଷ୍ୟ ଶାରୀରିକ ଭାବେ ଏବଂ ମାନସିକ ଭାବେ କିପରି ସୁସ୍ଥ ଜୀବନ ଯାପନ କରିପାରିବ ସେହି ଦିଗ ଉପରେ ସଚେତନ କରିଥିଲେ । ଏଥିରେ ବହୁ ସରକାରୀ ଅଧିକାରୀ, ପୋଲିସ ଅଧିକାରୀ ଓ ବିଭିନ୍ନ କର୍ମଚାରୀ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ଜନସାଧାରଣ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗୀତର ତାଳେ ତାଳେ ଆରକ୍ଷୀ ଅଧିକ୍ଷକ ନୃତ୍ୟ ଶୌଳୀରେ ବ୍ୟାୟମ କରି ପ୍ରଶିକ୍ଷଣ ଦେବାର ଦୃଶ୍ୟ ବେଶ୍ ଆକର୍ଷିତ ଥିଲା । ଏହି କାର୍ଯ୍ୟକ୍ରମରେ ଜିଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ପୂର୍ବତନ ବିଧାୟକ କେ.ସୁରିୟା ରାଓ, ଏଏସ୍ପି ସୀତାରାମ ଶତପଥି, ରିଜର୍ଭ ଇନ୍ସିପେକ୍ଟର ଡମ୍ବରୁଧର ହୋନାଗା, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ଉପସ୍ଥିତଥିଲେ ।


