ପୁଣି ଛତ୍ରପୁର ଏନଏସି କାର୍ଯ୍ୟାଳୟ ଘେରିଲେ ମାଛ ବ୍ୟବସାୟୀ : ବିଧାୟକଙ୍କ ହସ୍ତକ୍ଷେପ ପରେ ବାହାରିଲା ସମାଧାନର ବାଟ
ଛତ୍ରପୁର (ଦେବଦତ୍ତ ମହାରଣା): ଗତ ଏକ ସପ୍ତାହ ଧରି ଛତ୍ରପୁର ମାଛ ବଜାରକୁ ନେଇ ଦେଖା ଦେଇଥିବା ବିବାଦ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ହସ୍ତକ୍ଷେପ ଏବଂ ସ୍ଥାନୀୟ ବିଜେଡି ନେତାମାନଙ୍କ ସହଯୋଗ ପରେ ତ୍ରୁଟିଛି । ଘଟଣାରୁ ପ୍ରକାଶ ଯେ ଛତ୍ରପୁର ସହରରେ ଥିବା ପୂରାତନ ମାଛ ବଜାରରେ ପୁରୁଷାନୁକ୍ରମେ ଛତ୍ରପୁର ଉପକଣ୍ଠ ସ୍ôଥିତ ତରେଇପାଟପୁର ଗ୍ରମାର ବହୁ ମହିଳାଙ୍କ ସମେତ ରିକାପଲ୍ଲୀ ସାହି , ହୁମର ଓ ଆର୍ଯ୍ୟପଲ୍ଲୀ ଗ୍ରାମର ମହିଳା ମାନେ ମାଛ ବିକି ପରିବାର ପ୍ରତିପୋଷଣ କରନ୍ତି । ଗତ କରୋନା ମହାମାରୀ ଆରମ୍ଭରୁ ଏହି ମହିଳାମାନଙ୍କୁ ସେହି ସ୍ଥାନରେ ବ୍ୟବସାୟ କରିବାକୁ ସୁଯୋଗ ମିଳୁନି । ଯାହାଫଳରେ ସେମାନେ ହଜାର ହଜାର ଟଙ୍କାର କ୍ଷତି ପରେ କ୍ଷତି ସହି ଚାଲିଛନ୍ତି ।
ତେବେ ଏକ ସପ୍ତାହ ତଳେ କୈାଣସି ପୂର୍ବ ସୂଚନା ନଦେଇ ଏନଏସି ପକ୍ଷରୁ ମାଛ ବ୍ୟବସାୟୀ ମାନଙ୍କୁ ମାଛ ବଜାରରୁ ଉ୍ଛେଦ କରି ଷ୍ଟେସନ ରୋଡ କଡରେ ଥିବା ପଶୁଧନ ଚିକିତ୍ସାଳୟ ହତା ମଧ୍ୟରେ ସ୍ଥାନ ଚିହ୍ନଟ କରି ବିକ୍ରୟ କରିବା ପାଇଁ କୁହାଯାଇଥିଲା । ତେବେ ଉକ୍ତ ସ୍ଥାନରେ ପାର୍କି ସୁବିଧା ନଥିବା ହେତୁ ଗ୍ରାହାକ ମାନେ ନଯିବାରୁ ମାଛ ବିକ୍ରି ହୋଇନପାରି ପଚି ନଷ୍ଟ ହୋଇଯିବାରୁ ବିକ୍ରିକରୁଥିବା ମହିଳା ମାନେ ଆର୍ଥିକ କ୍ଷତି ସହିଥିଲେ । ଗତ ଦୁଇବର୍ଷ ହେଲା କରୋନା କାରଣରୁ ସ୍ୱାଭାବିକ ବ୍ୟବସାୟ କରିପାରିନଥିବା ଏହି ମହିଳା ମାନେ ଏହି କ୍ଷତି ସହି ନପାରି ଶେଷରେ ମାଛ ବିକ୍ରୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ଦୁଇଦିନ ହେଲା ଛତ୍ରପୁର ସହରରେ କୈାଣସି ପ୍ରକାର ମାଛ ବିକ୍ରୟ ହୋଇପାରୁନାହିଁ । ବୁଧବାର ପୂର୍ବାହ୍ନରେ ଶତାଧୀକ ମହିଳା ମାଛ ବ୍ୟବସାୟୀ ଛତ୍ରପୁର ଜାତୀୟ ରାଜପଥର କଲେଜ ଛକ ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ନିମନ୍ତେ ବାହାରି ଥିଲେ । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସ୍ଥାନୀୟ ବିଜେଡି ନେତାମାନଙ୍କ ଜରିଆରେ ବିଧାୟକଙ୍କ ସହ ଯୋଗାଯୋଗ କରିଥିଲେ । ଏହାପରେ ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି.ଚନ୍ଦ୍ରଶେଖର ରାଓ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ, ପୂର୍ବତନ କାଉନସିଲର ବି.ରାଜିବାବୁ, ଯୁବ ଆଇନଜିବୀ ଏଲ.ଗୋପୀ, ଛାତ୍ର ବିଜେଡିର ଜିଲ୍ଲା ସମ୍ପାଦକ ନାଗେଶ୍ୱର ରାଓ, ପ୍ରଶାନ୍ତ କୁମାର ବିଷୋୟୀ, ଏ.ଭେଙ୍କଟ ଦୋରା ଓ ଶ୍ରୀକାନ୍ତ ମହାନ୍ତିଙ୍କ ସମେତ ଏକ ପ୍ରତିନିଧୀ ଦଳ ମହିଳାମାନଙ୍କ ସହ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶବାବୁଙ୍କ ସହ ଏନେଇ ଆଲୋଚନା କରିଥିଲେ । ବାରମ୍ବାର ସ୍ଥାନ ପରିବର୍ତ୍ତନ ଦ୍ୱାରା ମହିଳା ବ୍ୟବସାୟୀ ମାନଙ୍କ ଜୀବନ ଜିବିକା ଉପରେ ପ୍ରଭାବ ପଡୁଛି । ଯାହା ଦ୍ୱାରା ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣେ ସେମାନଙ୍କୁ ସେମାନଙ୍କ ପୂରାତନ ସ୍ଥାନରେ ବ୍ୟବସାୟ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଉ ବୋଲି ପୂର୍ବତନ କାଉନସିଲର ତଥା ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି.ଚନ୍ଦ୍ରଶେଖର ରାଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ।କାର୍ଯ୍ୟନିର୍ବାହୀ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମହିଳା ମାନେ ପୂର୍ବରୁ ଯେଉଁ ଭଳି ଭାବେ ଯେଉଁ ସ୍ଥାନରେ ବସି ମାଛ ବିକ୍ରୟ କରୁଥିଲେ । ସେହି ସ୍ଥାନରେ ପୂର୍ବ ଭଳି ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଥିଲେ । ଏହାପରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ମାଛ ବିକ୍ରେତା ମାନଙ୍କ ସହ କଲେଜ ଛକ ନିକଟରେ ଆଲୋଚନା କରିବା ସହ କରୋନା ମହାମାରୀ ଦୃଷ୍ଟିରୁ କୈାଣସି ବିକ୍ରେତା ରାସ୍ତା ନ ବସିବାକୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ମାଛ ବଜାରରେ ଉପୁଜୁଥିବା ସମସ୍ତ ସମସ୍ୟା ଗୁଡିକର ସମାଧାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ମାଛ ବିକ୍ରେତା ମାନେ ରାସ୍ତାକଡରେ ନବିସିବା ସହ ଅପରିଷ୍କାର ନକରିବା ନେଇ ଏକ ଲିଖିତ ପତ୍ର ଏନଏସିଙ୍କୁ ପ୍ରଦାନ କରିଥିଲେ । ଏହାସହ ବିଧାୟକ , ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଜେଡି ପ୍ରତିନିଧୀ ଦଳକୁ ଧନ୍ୟବାଦ ପ୍ରଦାନ କରିଥିଲେ । ଗୁରୁବାର ଠାରୁ ଛତ୍ରପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମାଛ ବଜାର, ଅପରବସଷ୍ଟାଣ୍ଡ ମାଛ ବଜାର, କୋର୍ଟ ଷ୍ଟେସନ ନିକଟ ଗଳଶଙ୍ଖ ଓ ରିକାପଲ୍ଲୀ ବସି ମହିଳା ମାନେ ମାଛ ବ୍ୟବାସୟ କରିବେ ବୋଲି ସୂଚନା ମିଳିଛି ।


