ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଭିନ୍ନକ୍ଷମ ସାମାଜିକ ଓ ଆର୍ଥିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ଜୀବିକା ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ମୁଖ୍ୟ ଅତିଥି ରୂପେ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ସାମାଜିକ ଓ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଏହି ଆର୍ଥିକ ସହାୟତା ଭିନ୍ନକ୍ଷମମାନଙ୍କୁ ସ୍ୱାବଲମ୍ବନଶୀଳ କରିବାରେ ସହାୟକ ହେବ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ଦିବ୍ୟାଙ୍ଗ ଉଦ୍ୟୋଗୀ ମାନସ କୁମାର ବେହେରାଙ୍କୁ ୧୦ହଜାର ଟଙ୍କା, ପଲ୍ଲୀରଘୁନାଥପୁର ଗ୍ରାମର ଦିବ୍ୟାଙ୍ଗ ସଚ୍ଚିକାନ୍ତ ମଲ୍ଲିକଙ୍କୁ ୧୦ ହଜାର ଟଙ୍କା ଓ ସାନ୍ତସାହିର ମାନସିକ ଅନଗ୍ରସର ବ୍ୟବସାୟୀ ହରେକୃଷ୍ଣ ସାହୁଙ୍କୁ ୫ହଜାର ଟଙ୍କାର ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଥିଲା । ପୁନର୍ବାସ ପକ୍ଷରୁ ସଂଯୋଜକ ସଞ୍ଜୀବ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ ଓ ଅନୁଷ୍ଠାନର ସଭ୍ୟ ମହମ୍ମଦ ଜାହିଦ ଖାନ୍, ପ୍ରଶାନ୍ତ କୁମାର ସିଂହ, କମଳାକାନ୍ତ ବେହେରା, ଶେଷଦେବ ପ୍ରସାଦ ଦାସ, ସ୍ୱପ୍ନାଂଶୁ କୁମାର ଦାସ, ନିରଞ୍ଜନ ମଙ୍ଗରାଜ, ବଂଶୀଧର ମହାନ୍ତି, କ୍ଷୀରୋଦ କୁମାର କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ପୁନର୍ବାସର ଥେରାପି କକ୍ଷ ପ୍ରଦକ୍ଷଣ କରି ହିତାଧିକାରୀଙ୍କ ଅଭିଭାବକମାନଙ୍କର ମତାମତ ନେଇଥିଲେ ।