ପୁରୁଣାପାଣି ହାଟସାହି ପାନୀୟ ଜଳଯୋଗାଣ ବନ୍ଦ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାନ କରାଯାଉଛି । ହେଲେ ଲୋକମାନେ ଏହାର ସୁଫଳ ପାଇ ପାରୁ ନାହାନ୍ତି । କେଉଁଠି ପ୍ରକଳ୍ପ ଅଚଳ ହୋଇ ପଡିଛି ତ ଆଉ କେଉଁଠି ଜଳଯୋଗାଣ ହେଉନି । ଫଳରେ ଲୋକମାନେ ପାନୀୟ ଜଳ ପାଇବା ପାଇଁ ନାନା ସମସ୍ୟା ଭୋଗ କରୁଛନ୍ତି । ଯାହା ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ପୁରୁଣାପାଣି ହାଟସାହିରେ । ଏହି ସାହିକୁ ଆଜକୁ ୫ମାସ ହେଲା ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଥିବାରରୁ ଶତାଧିକ ପରିବାର ନାନା ଅସୁବିଧାରେ ଅଛନ୍ତି । ଗୋଟିଏ ନଳକୂପ ନିକଟରେ ଶହଶହ ମହିଳା ପାଣିପାଇଁ ଧାଡି ଲଗାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ଗ୍ରାମରେ ଶହେରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ଗାଁରେ ତିନୋଟି ନଳକୂପ ଅଛି । ତନ୍ମଧ୍ୟରୁ ଦୁଇଟି ନଳକୂପରେ ଗୋଳିଆପାଣି ବାହାରୁ ଥିବାବେଳେ ଗୋଟିଏ ନଳକୂପରୁ ଗାଁ ଲୋକେ ଏବେ ପାଣି ଆଣୁଛନ୍ତି । ତାହା ମଧ୍ୟ ଅନେକ ସମୟରେ ଅଚଳ ହୋଇପଡୁଥିବାରୁ ପାଣିଟୋପେ ପାଇଁ ଗାଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । ପୁରୁଣାପାଣି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ପାଇପଯୋଗେ ଏହି ଗାଁକୁ ପାନୀୟ ଜଳଯୋଗାଣ ହେଉଥିବାବେଳେ ଗତ ୫ମାସ ହେଲା ଉଦ୍ଦେଶ୍ୟ ମୁଳକ ଭାବେ ଏହି ଗାଁକୁ ପାନୀୟ ଜଳଯୋଗାଣ କରାଯାଉ ନାହିଁ । ଏନେଇ ଗ୍ରାମବାସୀମାନେ ବାରମ୍ବାର ପଞ୍ଚାୟତ କର୍ତ୍ତୁପକ୍ଷଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି । ଫଳରେ ଲୋକମାନେ ମାଧ୍ୟ ହୋଇ ସେହି ଗୋଳିଆ ପାଣିକୁ ବ୍ୟବହାର କରି ନାନା ରୋଗରେ ପଡୁଛନ୍ତି ବୋଲି ଗ୍ରାମର ବାସନ୍ତି ହାଁସଦା, ସୀମା ମାରାଣ୍ଡି, ଭଗବତୀ ଟୁଡୁ, ବିଜୟ କୁମାର ମାଝୀ, ଭଗବତୀ ଟୁଡୁ, ଜୟନ୍ତୀ ଟୁଡୁ, ଲୀଳାବତୀ ମାଝୀ, ଫୁଲ ଟୁଡୁ, ବିଣାପାଣି ମାରାଣ୍ଡି, ପୁର୍ଗା ଟୁଡୁ, ହଜରାମ ମାରାଣ୍ଡି, ଭୀମ ମାରାଣ୍ଡି, ନମିତା ମାରାଣ୍ଡି, ସୀତା ହେମ୍ରମ, ଡଙ୍ଗୀ ହେମ୍ରମ, ଜୀବନ ଟୁଡୁ, ଭାଗିରଥି ହେମ୍ରମ, ମଇନା ହେମ୍ରମ, ରାଜାରାମ ହେମ୍ରମ, ଚତୁର ମାଝୀ, ଶାନ୍ତି ଟୁଡୁ, ଫୁଲ ନାଇକ, ନାଲୁ ସୋରେନ, ସିଙ୍ଗରାଇ ସୋରେନ, ସବିତା ମୁର୍ମୁ, ମାଳତୀ ନାଇକ, ଡୁମିନି ମାରାଣ୍ଡି ଅମ୍ବା ସୋରେନ, ଦୁର୍ଗୀ ହାଁସଦା, ମଙ୍ଗଲ ହାଁସଦା ପ୍ରମୁଖ ଅଭିଯୋଗ କରିଛନ୍ତି । ପାନୀୟ ଜଳଯୋଗାଣ ବନ୍ଦ ପ୍ରତିବାଦରେ ସେମାନେ ଆଜି ଢ଼େଙ୍କା-ପୁରୁଣାପାଣି ରାସ୍ତାରେ ହାଣ୍ଡି କଳସୀ ଧରି ଏହାର ପ୍ରତିବାଦ କରିଛନ୍ତି । ଯଦି ପ୍ରଶାସନ ପକ୍ଷରୁ କୌଣସି ସୁବ୍ୟବସ୍ଥା କରାନଯାଏ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ