ପୂର୍ବଭଳି ଭତ୍ତାରେ ନଗଦ ଟଙ୍କା ଦେବାକୁ ବିଡିଓଙ୍କୁ ଗୁହାରି
ବାଲେଶ୍ୱର, (ସରୋଜ ପଣ୍ଡା):ମାସିକ ଭତ୍ତା ପ୍ରଦାନରେ ବିଭାଗୀୟ କର୍ମଚାରୀଙ୍କ ଖାମଖିଆଲି ନୀତିକୁ ନେଇ ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ଗ୍ରାମ ପଞ୍ଚାୟତର ଫୁଲୱାରକସବାର ବରିଷ୍ଠ ନାଗରିକମାନେ ସୋମବାର ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ପୂର୍ବରୁ ପଞ୍ଚାୟତରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିମାସ ଧାର୍ଯ୍ୟ ସମୟରେ ବିଭାଗୀୟ କର୍ମଚାରୀମାନେ ବାର୍ଦ୍ଧକ୍ୟ, ବିଧବା ତଥା ଭିନ୍ନକ୍ଷମ ଭତ୍ତା ଆଦି ପ୍ରଦାନ କରୁଥିଲେ । ମାତ୍ର ସମ୍ପ୍ରତି ବ୍ୟାଙ୍କ ଖାତାକୁ ଏହି ଅର୍ଥ ପଠାଯାଉଥିବା ବେଳେ ବୟସାଧିକ ବ୍ୟକ୍ତିମାନେ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକମାନେ କହିଛନ୍ତି । ଏବେ ୬୦ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୫ଶହ ଟଙ୍କା ଏବଂ ୮୦ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ୭ଶହ ଟଙ୍କା ପ୍ରଦାନ କରାଯାଉଛି । ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଜମା ଖାତାକୁ ପଠାଯାଉଛି । ବରିଷ୍ଠ ନାଗରିକଙ୍କ ସହ ଆସିଥିବା ନଗ୍ରମର ପୂର୍ବତନ ସରପଞ୍ଚ ସର୍ବେଶ୍ୱର ମହାନ୍ତିଙ୍କ କହିବା ଅନୁସାରେ, ବ୍ୟାଙ୍କକୁ ଯିବା ପାଇଁ ଭାତ୍ତା ହିତାଧିକାରୀଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏହାଦ୍ୱାରା ସେମାନଙ୍କୁ ମଧ୍ୟ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ସବୁଠାରୁ ବଡ଼କଥା ହେଲା ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରତିମାସ ନିର୍ଦ୍ଧାରିୀତ ଦିନରେ ଅର୍ଥ ଜମା ହେଉ ନଥିବା ବେଳେ ଏହି ଟଙ୍କା ଆଶାରେ ସେମାନେ ଏକାଧିକ ଥର ବ୍ୟାଙ୍କକୁ ଯାଉଛନ୍ତି ବୋଲି ପୂର୍ବତନ ସରପଞ୍ଚ ଶ୍ରୀ ମହାନ୍ତି କହିଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ପୂର୍ବଭଳି ଘରପାଖ କୌଣସି ସ୍ଥାନରେ ଭତ୍ତା ଟଙ୍କା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ସଦର ବିଡିଓ ନରେନ୍ଦ୍ର ଖମାରୀଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଧୀରେନ୍ଦ୍ର ନାୟକ, ରଘୁନାଥ ମିସ୍ତ୍ରୀ, ଭଗବତୀ ଭୂୟାଁ, ବାସନ୍ତୀ ମିସ୍ତ୍ରୀ, ସାରଦା ମାଝୀ, ମାଳତୀ ମାଝୀ, ଶ୍ରୀମତୀ ମାଝୀ, ଦୟାନିଧି ବଣୁଆ, ରାମଚନ୍ଦ୍ର ନାୟକ, ଘନଶ୍ୟାମ ସିଂହ, ଯୋଗେଶ୍ୱର ମାଝୀ, ଜଗନ୍ନାଥ ତରେଇ, କମଳା ମାଝୀ, ସୁରେନ୍ଦ୍ର ମାଝୀ, ଶୁକ ସେଠୀ ପ୍ରମୁଖ ଉପସ୍ଥିତ ଥିିଲେ । ଜିଲାପାଳଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଉଚିତ ପଦକ୍ଷେପ ନେବେ ବୋଲି ବିଡିଓ ଶ୍ରୀ ଖମାରୀ ସୂଚନା ଦେଇଚନ୍ତି ।


