ପ୍ରତି ସପ୍ତାହରେ ବଦଳାନ୍ତୁ ବେଡ୍‌ଶିଟ୍‌

ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରତ୍ୟେକ ଦିନର ବ୍ୟସ୍ତବହୁଳ ଜୀବନ କାରଣରୁ ଆମେ ଛୋଟ ଛୋଟ କଥାକୁ ଅଣଦେଖା କରିଥାଉ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଦରକାର । ପରେ ଏହା ବଡ଼ ସମସ୍ୟା ହୋଇ ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଇପାରେ । ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇବା, ଦିନରେ ଦୁଇ ଥର ବ୍ରଶ୍ କରିବା, ନିୟମିତ କପଡ଼ା ଧୋଇବା ଓ ଘର ପରିସ୍କାର ପରିଚ୍ଛନ୍ନ ରଖିବା ଏଭଳି କିଛି କଥା ଯାହା ପ୍ରାୟ ସମସ୍ତେ ଠିକ୍ ଭାବେ ପାଳନ କରିଥାନ୍ତି । ଯାହାଫଳରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିପାରିଥାଏ । ଅନୁରୂପ ଭାବେ ବିଛଣାର ବେଡ୍‌ଶିଟ୍ ବଦଳାଇବା ଓ ନିୟମିତ ଭାବେ ଏହାକୁ ସଫା କରିବା ମଧ୍ୟ ନିତାନ୍ତ ଜରୁରୀ, ଯାହା କି ଅନେକେ କରି ନ ଥାନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ ଏକ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ଗୋଟିଏ ବେଡ୍‌ଶିଟ୍ ବ୍ୟବହାର କରିବା ଫଳରେ ବ୍ୟାକ୍ଟେରିଆ ଓ କୀଟାଣୁ ସୃଷ୍ଟି ହେବା ଆଶଙ୍କା ଅନେକ ଗୁଣା ବଢ଼ିଯାଏ । ତେଣୁ ଗୋଟିଏ ସପ୍ତାହ ସମୟ ବହୁତ ହୋଇଥିବାବେଳେ ୭ ଦିନ ପରେ ଯେମିତି ହେଲେ ବେଡ୍‌ଶିଟ୍ ବଦଳାଇ ତାହାକୁ ଧୋଇବା ଉଚିତ୍ । ମଇଳା ବେଡ୍‌ଶିଟ୍‌ରେ ଶୋଇବା ଫଳରେ କେବଳ ସଂକ୍ରମଣ ଓ ଆଲର୍ଜିକ୍ ରିଆକ୍ସନ୍ ହୋଇ ନ ଥାଏ, ବରଂ ବିଛଣା ମଧ୍ୟ ପୋକ, ଓଡ଼ଶ ଆଦିର ବ୍ରିଡିଂ ସ୍ଥାନ ପାଲଟିପାରେ । ଲଣ୍ଡନରେ ହୋଇଥିବା ଏକ ସର୍ଭେ ଅନୁସାରେ କେବଳ ୨୮ ପ୍ରତିଶତ ଲୋକ ଏପରି ଅଛନ୍ତି, ଯେଉଁମାନେ ପ୍ରତ୍ୟେକ ସପ୍ତାହରେ ନିୟମିତ ଭାବେ ବିଛଣାର ବେଡ୍‌ଶିଟ୍ ବଦଳାଇଥାନ୍ତି । ସେହିପରି ୪୦ ପ୍ରତିଶତ ଲୋକେ ୧୫ ଦିନରେ ଥରେ, ୨୪ ପ୍ରତିଶତ ଲୋକେ ୨ରୁ ୩ ସପ୍ତାହରେ ଥରେ ଓ ୮ ପ୍ରତିଶତ ଲୋକେ ମାସରେ ଥରେ ବେଡ୍‌ଶିଟ୍ ବଦଳାଇଥାନ୍ତି । ଏକ ରିପୋର୍ଟ ଅନୁସାରେ ବେଡ୍‌ଶିଟ୍‌ରେ ଆମ ଶରୀରର ଝାଳ, ଲାଳ, ତୈଳ ଭଳି ବଡି ଫ୍ଲୁଇଡ୍ ଲାଗିଥାଏ । ଏପରିସ୍ଥଳେ ଦୀର୍ଘ ସମୟ ଯାଏ ଏଭଳି ବେଡ୍‌ଶିଟ୍‌ରେ ଶୋଇବା ଫଳରେ ନିଶ୍ଚିତ ଭାବେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ତେଣୁ ନିୟମିତ ଭାବେ ବେଡ୍‌ଶିଟ୍ ବଦଳାଇବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ