ପ୍ରତ୍ୟେକ ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା
ବାଲେଶ୍ୱର, (ସରୋଜ ପଣ୍ଡା) : ଦୁର୍ଗତି ନାଶିନୀ ମା’ଦୁର୍ଗାଙ୍କର ଶାରଦୀୟ ପୂଜାରେ ସହରଠାରୁ ପୁରପଲ୍ଲୀ ପର୍ଯ୍ୟନ୍ତ ହୋଇ ଉଠିଛି ଉତ୍ସବମୁଖର । ମହାଳୟାଠାରୁ ଶକ୍ତିପୀଠଗୁଡ଼ିକରେ ନବରାତ୍ର ପୂଜା ଜାରି ରହିଥିବା ବେଳେ ସପ୍ତମୀରୁ ମଣ୍ଡପଗୁଡ଼ିକରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସହର ସମେତ ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର ପ୍ରତ୍ୟେକ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ମହାସପ୍ତମୀ ପୂଜା । ଘଣ୍ଟ, ଘଣ୍ଟା ଓ ଶଙ୍ଖଧ୍ୱନି ସାଙ୍ଗକୁ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ସହ ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ମହାଷଷ୍ଠୀରେ ବିଲ୍ୱାଧିବାସ ପରେ ମଙ୍ଗଳବାର ଘଟ ଉତ୍ତୋଳନ ସହ ପ୍ରତ୍ୟେକ ମଣ୍ଡପରେ ମାଆଙ୍କଠାରେ ବିଶେଷ ନୀତିରେ ହେଉଛି ମହାସପ୍ତମୀ ପୂଜା । ଦେବୀଙ୍କ କରୁଣା ପାଇବା ପାଇଁ ଆବାଳ ବୃଦ୍ଧବନୀତାଙ୍କ ମଧ୍ୟରେ ଦେଖାଯାଇଛିି ଅପୂର୍ବ ଉତ୍ସାହ ଉଦ୍ଦୀପନା । ପ୍ରଶାସନର କଟକଣା ଯୋଗୁଁ ପୂଜା ମଣ୍ଡପଗୁଡିକରେ ନିରଡ଼ାମ୍ବର ଭାବେ ଉତ୍ସବ ପାଳନ ହେଉଥିଲେ ବି ଶ୍ରଦ୍ଧାଳୁଙ୍କ ସମେତ ସାଧାରଣ ଲୋକଙ୍କଠାରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇନାହିଁ । ପୂର୍ବ ବର୍ଷମାନଙ୍କ ଭଳି ମଣ୍ଡପମାନଙ୍କରେ ସୁଉଚ୍ଚ ତୋରଣ କିମ୍ବା ରଙ୍ଗ ବିରଙ୍ଗର ଆଲୋକମାଳା ନାହିଁ । କେବଳ ନିଷ୍ଠାପୂର୍ଣ୍ଣ ପୂଜାନୀତି ମଧ୍ୟରେ ଚାଲିଛି ଦେବୀଙ୍କର ଅର୍ଚ୍ଚନ । ତେବେ ଚଳିତ ବର୍ଷ ବାଲେଶ୍ୱର ସହରର ଟାଉନ ଥାନା ଅନ୍ତର୍ଗତ ଅଞ୍ଚଳରେ ୨୪ଟି, ସହଦେବଖୁଣ୍ଟା ଥାନା ଅଞ୍ଚଳର ୨୦ଟି, ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ୪ଟି ଓ ସଦର ଥାନା ଅଞ୍ଚଳରେ ୨ଟି ସାର୍ବଜନୀନ ପୂଜା କମିଟି ଅନୁମତି ନେଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ବ୍ୟତୀତ ୧୦ରୁ ଊର୍ଦ୍ଧ୍ୱ ଘରୋଇ ପୂଜା ସମେତ ସହର ଉପକଣ୍ଠ ଅଞ୍ଚଳରେ ଶତାଧିକ ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ହେଉଥିବା ଜଣାପଡ଼ିଛି । ପ୍ରଶାସନର କଟକଣାକୁ ମାନି ଅଧିକାଂଶ ପୂଜା ପଣ୍ଡପରେ ମାଆଙ୍କ ମୃଣ୍ମୟ ମୂର୍ତ୍ତିର ଉଚ୍ଚତା ହ୍ରାସ କରାଯାଇଥିବା ଦେଖିବାକୁ ମିିଳିଛି । ଅନ୍ୟପକ୍ଷରେ ଜିଲାରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ଥିବା ଯୋଗୁୁଁ ଗତବର୍ଷ ତୁଳନାରେ ଚଳିତ ପାର୍ବଣରେ ସୋଧାରଣରେ ବେଶ ଉତ୍ସାହ ଉଦ୍ଦୀପନା ଳକ୍ଷ୍ୟ କରାଯାଇଛି । ବୁଧବାର ମାଆଙ୍କର ମହାଷ୍ଟମୀ ପୂଜା ହେଉଥିବା ବେଳେ ସପ୍ତାହେ ଧରି ସହର ବଜାରରେ ଭିଡ଼ ପରିଲକ୍ଷିତ ହୋଇଥିଲା । ବିଶେଷ କରି ମାଆଙ୍କର ୪ଦିନିଆ ଉତ୍ସବରେ ନୂଆ ଲୁଗା, ମହାଷ୍ଟମୀରେ ମା’ଙ୍କ ନିକଟରେ ଡାଲା ଭୋଗ ପାଇଁ ଫଳମୂଳ କିଣିବା ପାଇଁ ଦୋକାନ ବଜାରରେ ବେଶ ଭିଡ଼ ଲାଗିଥିଲା । ଏହା ସହିତ ରାସ୍ତାରେ ବସିଥିବା ବାଉଁଶରେ ତିଆରି ଡାଲା ବିକାଳିଙ୍କ ମଧ୍ୟ ଭଲ ବେପାର ହୋଇଥିବା ଲକ୍ଷ୍ୟ କରାଯାଇଛି । ଏହା ସତ୍ତ୍ୱେ କରୋନା କଟକଣା ଚଳିତ ବର୍ଷ ପାର୍ବଣର ଉତ୍ସବ ମାହଲକୁ କିଛି ପରିମାଣରେ ପ୍ରଭାବିତ କରିଥିବା ପରିଲକ୍ଷିତ ହୋଇଛି ।


