ପ୍ରମୋଦ ସାହୁ ବହିଷ୍କୃତ
ଭୁବନେଶ୍ୱର : ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସାଇଟିର ସଭାପତି ପଦରୁ ପ୍ରମୋଦ କୁମାର ସାହୁଙ୍କୁ ବହିଷ୍କୃତ କରିଛନ୍ତି । ନୂତନ ସଭାପତି ନିର୍ବାଚନ ପର୍ଯ୍ୟନ୍ତ ସୋସାଇଟିର ଉପ ସଭାପତି ଭାରପ୍ରାପ୍ତ ସଭାପତି ଭାବେ କାର୍ଯ୍ୟ କରିବେ । ଆଜିି ଏହି ମର୍ମରେ ନିବନ୍ଧକ ବିଭୂତିଭୂଷଣ ପଟ୍ଟନାୟକକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୋସାଇଟିର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆଧାରରେ ଶ୍ରୀ ସାହୁଙ୍କୁ ପୁଲିସ ଗିରଫ କରିଥିଲା । ତାଙ୍କ ବିରୋଧରେ ଗଣମାଧ୍ୟମରେ ଆସିଥିବା ନୈତିକି ଅଧୋପତନ ଅଭିଯୋଗ ଆଧାରରେ ତାଙ୍କୁ ରାଜ୍ୟ ସମବାୟ ସମିତି ସମୂହ ନିବନ୍ଧକ ଗତ ୪ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଶ୍ରୀ ସାହୁ ନୋଟିସର ଉତ୍ତରରେ ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହି ପ୍ରସଙ୍ଗରେ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଶ୍ରୀ ସାହୁଙ୍କୁ ସୋସାଇଟି କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲା । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗୁରୁତର ଏବଂ ଏହାର ସୁଦୂର ପ୍ରସାରୀ ପ୍ରଭାବ ସୋସାଇଟିର କାର୍ଯ୍ୟ ଉପରେ ପଡ଼ିବା ସମ୍ଭାବନା ଥିବାରୁ ଶ୍ରୀ ସାହୁଙ୍କ ଅଫିସ ଆସିବା ଉପରେ କଟକଣା ଜାରି କରାଯାଇଥିଲା । ସୋସାଇଟି ଓ ଏହାର ସଦସ୍ୟଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ଏହି ପ୍ରସଙ୍ଗ ଚୂଡ଼ାନ୍ତ ନ ହେବା ପର୍ଯ୍ୟନ୍ତ ଉପସଭାପତି ଭାରପ୍ରାପ୍ତ ସଭାପତି ଭାବେ ଦାୟିତ୍ୱ ତୁଲାଇବେ ବୋଲି ନିବନ୍ଧକ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏ ପର୍ଯ୍ୟନ୍ତ ଅଦାଲତରେ ପ୍ରମାଣିତ ହୋଇନଥିଲେ ମଧ୍ୟ ସୋସାଇଟିର ସମ୍ମାନରେ ତାଙ୍କୁ ବହିଷ୍କୃତ କରାଯାଉଥିବା ପ୍ରକାଶିତ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।


