ପ୍ରଶାସନର ତାଗିଦ୍ ସତ୍ତ୍ୱେ ମାନୁନାହାଁନ୍ତି ଜନସାଧାରଣ, ନିଷିଦ୍ଧାଞ୍ଚଳରେ ଗଳାବାଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ପ୍ରଶାସନର ବ୍ୟପକ ସଚେତନତା,କଡାକଡି କଟକଣା ଓ ତାଗିଦ୍ ସତ୍ତ୍ୱେ ଲୋକେ ନିଷିଦ୍ଧାଞ୍ଚଳ ଦେଇ ଯିବା ଆସିବା ଲକ୍ଷ୍ୟ କରାଯାଉଛି । ଏହା କେବଳ ପାରଳାଖେମୁଣ୍ଡି ସହରରେ ନୁହେଁ ସମଗ୍ର ଜିଲ୍ଲାରେ ଏଭଳି ଘଟଣା ଦେଖାଦେଇଛି । ନିଷିଦ୍ଧାଞ୍ଚଳର ବ୍ୟରିକେଟକୁ ଗଳାବାଟ ଭାବେ ବ୍ୟବହାର କରାଯାଉଛି । ଗଜପତିରେ କରୋନାର ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧି ପାଉଥିବା ବେଳେ ଲୋକେ ନିଷିଦ୍ଧାଞ୍ଚଳର ଗଳାବାଟ ଦେଇ ଯିବା ଆସିବା କଲେ ସଂକ୍ରମଣକୁ କିପରି ପ୍ରତିହତ କରାଯିବ? ସମସ୍ତ ନିଷିଦ୍ଧାଞ୍ଚଳ ଗୁଡିକରେ ଗଳାବାଟ ଦେଇ ଅବାଧ ଯିବା ଆସିବାକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀକୁ ଦାୟୀତ୍ୱ ଦିଆଯାଇଛି । ହେଲେ ଅନେକ ନିଷିଦ୍ଧାଞ୍ଚଳରେ ପୋଲିସ ଓ ପ୍ରଶାସନିକ ସଜାଗ ନ ଥିବା ଦୃଷ୍ଟିରୁ ଗଳାବାଟ ଦେଇ ଲୋକେ ଯିବା ଆସିବା କରୁଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଏସପି ସାରା ଶର୍ମା ଏଥିନେଇ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।


