ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରେ ବ୍ୟବସାୟିକ କୋଠା ନିର୍ମାଣ ଓ ବିକ୍ରିକୁ ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ କରାଯାଇଥିବା ଗଣେଶ୍ୱରପୁର ମୌଜାର ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ଜମିରେ ବହୁତଳ ଫ୍ଲାଟ ନିର୍ମାଣ କରି ବ୍ୟବସାୟୀଙ୍କୁ ବିକ୍ରି ଉଦ୍ୟମରୁ ପ୍ରଶାସନ ନିବୃତ ଦାବିରେ ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ମଙ୍ଗଳବାର ଦାବିପତ୍ର ପ୍ରଦାନ କରାଯାଇଛି । ସିଭିଲ ସୋସାଇଟି ନେତୃତ୍ୱରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲାପାଳଙ୍କୁ ସାକ୍ଷାତ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରେ ବହୁତଳ କୋଠା ନିର୍ମାଣ ଓ ବିକ୍ରି କରିବାକୁ କେବଳ ଗଣ ସଂଗଠନ ନୁହନ୍ତି ବରଂ ଜିଲାବାସୀ ଦୃଢ଼ ବିରୋଧ କରୁଛନ୍ତି ବୋଲି ପ୍ରତିନିଧି ଦଳ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରିଛନ୍ତି । ନିଷ୍ପତ୍ତିର ପୁନର୍ବିଚାର କରାନଗଲେ ବିଭିନ୍ନ ସଂଗଠନ ଓ ସାଧାରଣ ଲୋକେ ଆସନ୍ତା ଜୁନ ୭ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ସିଭିଲ ସୋସାଇଟି କର୍ମକର୍ତ୍ତାଙ୍କ ଆପତ୍ତି ଅନୁସାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ କଟକ ବୋର୍ଡ଼ ଅଫ୍ ରେଭେନ୍ୟୁ ଚିଠି ସଂଖ୍ୟା ୧୩୧୬/ତା୧୬-୦୯-୨୦୧୧ରିଖ ମୂଳେ ଏହି ଜାଗା ବ୍ରିଟକୁ ହସ୍ତାନ୍ତର ହୋଇଥିଲା । ବସଷ୍ଟାଣ୍ଡ ବ୍ୟତୀତ ଏହି ସ୍ଥାନରେ ଅନ୍ୟ କୌଣସି କାର୍ଯ୍ୟ କରାଯାଇ ପାରିବନାହିଁ ବୋଲି ଜିଲା ପ୍ରଶାସନକୁ ଚିଠିରେ ନିର୍ଦ୍ଦେଶ ଥିଲା । ନିର୍ଦ୍ଦେଶ ଉଲେଂଘନ କଲେ ଏହି ଜାଗା ଆପଣାଛାଏଁ ବିପର୍ଯ୍ୟୟ ପ୍ରଶାସନ ବିଭାଗକୁ ଫେରିଯିବ ବୋଲି ମାର୍ଗଦର୍ଶିକାରେ ଉଲିଖିତ ଅଛି । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ଭିତ୍ତିପ୍ରସ୍ତରକୁ ଉପାଡ଼ି ଫିଙ୍ଗି ଦେଇ ଏହି ଜାଗାରେ ବ୍ୟବସାୟିକ କୋଠାବାଡ଼ି ନିର୍ମାଣ କରି ଲୋକଙ୍କୁ ବିକ୍ରି ପାଇଁ ଜିଲା ପ୍ରଶାସନ ଦୁଇଥର ବ୍ରିଟ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସିଭିଲ ସୋସାଇଟି କର୍ମକର୍ତ୍ତାମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି ମର୍ମରେ ପୂର୍ବରୁ ଦୁଇଥର ଓ ପୁଣି ଆଜି ଶେଷଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୭ ତାରିଖରୁ ଜିଲାବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଥିବା ସେମାନେ କହିଛନ୍ତି । ଆଜିର ଦାବିପତ୍ର ପ୍ରଦାନବେଳେ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଘରୋଇ ବସ ମାଲିକ ସଂଘର ସଭାପତି ମାଧବଚନ୍ଦ୍ର ମିଶ୍ର, ଯୁବବିକାଶ ନିର୍ଦ୍ଦେଶକ ଗୋବିନ୍ଦ ଦଳାଇ, ଷ୍ଟେଟ ବ୍ୟାଙ୍କ ପେନସନର କର୍ମଚାରୀ ସଂଘ ଗଣେଶ ଜେନା, ବସ୍ତିବାସିନ୍ଦା ସଂଘର ସଭାପତି ବେଣୁଧର ବାରିକ, ରେଳବାଇ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରମେଶ ଜେନା, ବିଜୁଳି କର୍ମଚାରୀ ସଂଘର ନେତା ଭରତ ସେଠୀ, ସରକାରୀ ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ମୋହରିର ସଂଘର ସମ୍ପାଦକ ନିରାକାର ରାଉତ, ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଦାମୋଦର ନାୟକ, କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସଭାପତି କେଶବ ପଣ୍ଡା, ଜିଆରବି ଏସୋସିଏସନ୍ର ନେତା ଯୋଗେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ବିଧାନ ଚନ୍ଦ୍ର ରାଏ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ନେତା ବଂଶୀଧର ଚୌଧୁରୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ, ଡାକ୍ତର ସମାପିକା ପରିଡ଼ା, ଆଇନଜୀବୀ ଭରତ ଲେଙ୍କା, କବିତା ଭାରତୀ, ନିର୍ମଳ ନାୟକ, ରମେଶ ପାଣିଗ୍ରାହୀ, ମହେଶ୍ୱର ମଳିକ, ସତ୍ୟପ୍ରକାଶ ଦାସମହାପାତ୍ର, ବିଜୟ କୁମାର ପଣ୍ଡା, ନୀଳମଣି ବେହେରା, ବିଜୟ ଦାସ ଅଧିକାରୀ, ସତ୍ୟରଂଜନ ଆଚାର୍ଯ୍ୟ, ସମାଜସେବୀ ରଘୁନାଥ ଲେଙ୍କା, ପ୍ରଶାନ୍ତ ପାଢ଼ୀ, ଜ୍ଞାନ ମିଶ୍ର, ଗୀତାଶ୍ରୀ ଦାସ, ମାନସ ପାତ୍ର, ପ୍ରତାପ ନନ୍ଦ, ନୀଳକଣ୍ଠ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


