ପ୍ଲାଜମା ଦାନ କଲେ ରାଇକିଆ ବିଡିଓ, ଟ୍ୱିଟରରେ ଧନ୍ୟବାଦ ଦେଲେ କନ୍ଧମାଳ ଜିଲାପାଳ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ଲଢେଇରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ। ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ଲାଜମା ଦାନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଶ୍ରୀ ବାଣୁଆଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଟ୍ୱିଟର ଜରିଆରେ ସାଧୁବାଦ ଜଣାଇଛନ୍ତି କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି.। ସୂଚନା ମୁତାବକ, ଜିଲା ପ୍ରଶାସନ ପକ୍ଷରୁ କରୋନା ଲଢେଇରେ ସାମିଲ ଥିବା ରାଇକିଆ ବିଡିଓ ଶ୍ରୀ ବାଣୁଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। କରୋନା ପାଇଁ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ଭାବେ କୋଣସି ଔଷଧ କିମ୍ବା ଟିକା ବାହାରି ନ ଥିବା ବେଳେ ପ୍ଲାଜମା ଚିକିତ୍ସାକୁ ଡାକ୍ତରମାନେ ଏକ ଭରସାଯୋଗ୍ୟ ଚିକିତ୍ସା ଭାବେ ଗ୍ରହଣ କରିଛନ୍ତି। ଏଥିପାଇଁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରି ଆକ୍ରାନ୍ତ ରୋଗୀମାନଙ୍କଠାରେ ପ୍ରୟୋଗ କରାଯାଉଛି। ତେଣୁ ଅଧିକରୁ ଅଧିକ ଲୋକ ଏହି ପ୍ଲାଜମା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏହାର ସଂରକ୍ଷଣ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି। ସରକାରଙ୍କ ଏହି ଆହ୍ୱାନରେ ଉତ୍ସାହିତ ହୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଭଳି ଜନହିତକର କାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି। ରାଇକିଆ ବିଡିଓଙ୍କ ଏଭଳି ପଦକ୍ଷେପ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଦିଆଯାଇଥିବା ବେଳେ ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜମା ପ୍ରଦାନ ପାଇଁ ପ୍ରୋତ୍ସାହିତ କରିବ ବୋଲି ଜିଲାପାଳ ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ