ପଡ଼ୋଶୀଙ୍କୁ ଖୁସି କରିବାକୁ କାନ୍ଥରେ ଆଙ୍କିଲେ ଇମୋଜି, ମାମଲା ପହଞ୍ଚିଲା ଥାନାରେ
ପଡ଼ୋଶୀଙ୍କୁ ଖୁସି କରିବାକୁ ଜଣେ ବ୍ୟକ୍ତି ଘରର କାନ୍ଥରେ ଇମୋଜି ଆଙ୍କିଥିଲେ । କିନ୍ତୁ ଏଥିରେ ପଡ଼ୋଶୀ ରାଗିଯାଇ ଥାନାରେ ମାମଲା ରୁଜୁ କରିଛନ୍ତି । ଏମିତି ଏକ ଅଜବ ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ । ଘରମାଲିକ କ୍ୟାଥରିନ୍ କିଡ୍ କୁହନ୍ତି, ପଡ଼ୋଶୀଙ୍କ ଦୁଃଖ ଏବଂ ଥକ୍କାପଣ ଦୂର କରି ମୁହଁରେ ହସ ଆଣିବା ପାଇଁ ସେ ଏମିତି ଚିତ୍ର ତାଙ୍କ କାନ୍ଥରେ ଆଙ୍କିଛନ୍ତି । ମାତ୍ର ଜଣେ ପଡ଼ୋଶୀ ତାଙ୍କୁ ଦୋଷାରୋପ କରି ଥାନାରେ ମାମଲା ଦାୟର କରିଛନ୍ତି । କ୍ୟାଥରିନ୍ କୁହନ୍ତି, ମୋ ଘରକୁ ମୁଁ ଗୋଲାପୀ ରଙ୍ଗ ଦେବା ସହିତ କାନ୍ଥରେ ପେଣ୍ଟିଂ କରିଛି । କାରଣ ଆମ ପଡ଼ୋଶୀ ସବୁବେଳେ ମନଦୁଃଖରେ ରହୁଥିବା ଦେଖି ମୁଁ ଏପରି ଆଙ୍କିଛି । କିନ୍ତୁ ପଡ଼ୋଶୀ ସୁସେନ୍ ବିଲୈଣ୍ଡ୍ କ୍ୟାଥରିନ୍ଙ୍କ କଥାରେ ସହମତ ନୁହନ୍ତି । ସେ କହିଛନ୍ତି, ଆମ ପରିବାରକୁ ଚିଡ଼ାଇବା ପାଇଁ ସେ ଏପରି କରିଛନ୍ତି । ତାଙ୍କ କହିବା କଥା କ୍ୟାଥରିନ୍ ଯେଉଁ ଇମୋଜି ରଖିଛନ୍ତି ସେଥିରୁ ଗୋଟିଏ ପାଟିରେ ହାତ ଦେଇଥିବା ଆଉ ଗୋଟିଏ ମଜା ଉଡ଼ାଇବାର ଚିତ୍ର । ଫଳରେ ଏହା ନକାରାତ୍ମକ ପ୍ରଭାବ ପକାଉଛି । କ୍ୟାଥ୍ରିନ୍ ଏପରି ଚିତ୍ର ଆଙ୍କିବା ପରଠାରୁ ସେ ତାଙ୍କ ଘରର ଦରଜା ସବୁବେଳେ ବନ୍ଦ ରଖୁଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଏହା ଦର୍ଶକଙ୍କୁ ହସର ଖୋରାକ ଯୋଗାଉଛି ।


