ବଜ୍ରମହାକାଳ ପୀଠରେ ମକର ମେଳା ଆରମ୍ଭ

ବନ୍ତ,(ଯୁଗାବ୍ଦନ୍ୟୁଜ): ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ସିଲନ୍ଦିସ୍ଥିତ ବଜ୍ରମହାକାଳ ପୀଠରେ ମକରମେଳା ଆରମ୍ଭ ହୋଇଛି । ବୁଧବାର ବରମୁଣ୍ଡାସ୍ଥିତ ପତି ପୋଖରୀରୁ ସୁବାଷ ଚନ୍ଦ୍ର ଓଝା, କାଳନ୍ଦି ନାୟକ, ବସନ୍ତ କୁମାର ସ୍ୱାଇଁ, କ୍ଷେତ୍ରବାସୀ ଶଂଖୁଆ କଳସ ଆଣିବା ପରେ ଘଟସ୍ଥାପନା କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଗୀତା ପୂଜା କରାଯିବା ପରେ ଗଣେଶ, ସାବିତ୍ରୀ, ଦ୍ୱାରପାଳ, ସୂର୍ଯ୍ୟ ପୂଜା କରାଯାଇ ଠାକୁରଙ୍କୁ ଆବାହନ କରାଯାଇଥିଲା । ପୂଜକ ବିଷ୍ଣୁ ଚରଣ ଦାଶଙ୍କ ଦ୍ୱାରା ସମସ୍ତ ପୂଜା କାର୍ଯ୍ୟ ଚାଲିଛି । ୮ ଦିନ ଧରି ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୩ ଦିନ ଧରି ଖୋଲା ମଞ୍ଚରେ ଯାତ୍ରା ପରିବେଷଣ ହେବ । ବାବାଙ୍କ ଆବିର୍ଭାବ ସଂପର୍କରେ ଗ୍ରାମର ପୁରାତନ ଲୋକେ କହନ୍ତି ପ୍ରାୟ ୧୦୦ ବର୍ଷ ପୂର୍ବେ ସିଲନ୍ଦି ଗ୍ରାମର ପଶ୍ଚିମ ଦିଗରେ ଅବସ୍ଥିତ ବର ଅଶ୍ୱଥ୍ ବୃକ୍ଷ ମଝିରେ ବାବାଙ୍କ ଆବିର୍ଭାବ ହୋଇଥିଲା । ଗ୍ରାମବାସୀ ମାନଙ୍କୁ ସ୍ୱପ୍ନାକୃତ ହେବା ପରେ ବାବାଙ୍କ ପୂଜାର୍ଚ୍ଚନା ମକର ସଂକ୍ରାନ୍ତୀ ଠାରୁ ଆରମ୍ଭ ହୋଇଥିଲା । ପୂଜକ ସ୍ୱର୍ଗତ ନରୋତ୍ତମ ଦାଶ ଓ ତାଙ୍କ ଅନ୍ତେ ନବ କିଶୋର ଦାଶ ବାବାଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ । ବଂଶାନୁକ୍ରମିକ ଭାବେ ଉକ୍ତ ପୂଜକଙ୍କ ପରିବାର ପକ୍ଷରୁ ବାବାଙ୍କୁ ପୂଜା କରାଯାଇ ଆସୁଛି । ଆପଦବିପଦ ଆସିଲେ ବାବା ବଜ୍ରମହାକାଳ ପୂଜକଙ୍କୁ ସ୍ୱପ୍ନାଦେଶ କରି ଜଣାଇଥାନ୍ତି । ପରେ ବିଧିବିଧାନ ଅନୁଯାୟୀ ବାବାଙ୍କ ପୂଜା କରାଯାଇ ମାର୍ଜ୍ଜନା କରାଯାଇଥାଏ । ଯେକୌଣସି ଆପଦବିପଦରେ ବାବା ଗ୍ରାମବାସୀ ମାନଙ୍କୁ ରକ୍ଷା କରିଥାନ୍ତି ବୋଲି ଲୋକେ କହନ୍ତି । ଚଳିତ ବର୍ଷ ବାବାଙ୍କ ପୀଠରେ ମକରମେଳା ବଡ ଧୁମ୍‌ଧାମରେ ପାଳନ ହେଉଛି । ପୂଜା ଉତ୍ସବରେ ବଜ୍ରମହାକାଳ ଯୁବକ ସଂଘର ସଭାପତି ରମାକାନ୍ତ ସାହୁ, ସଂପାଦକ ଅକ୍ଷୟ କୁମାର ସାହୁ, କୋଷାଧ୍ୟକ୍ଷ ବିଶ୍ୱନାଥ ରାୟ, ସଭ୍ୟ ଶିବାଜୀ ସାହୁ, ଈଶ୍ୱର ପାତ୍ର, ଜିତେନ୍ଦ୍ର ସାହୁ, ତ୍ରିଲୋଚନ ପୃଷ୍ଟି, ଶଶୀକାନ୍ତ ଜେନା, କାଳନ୍ଦି ନାୟକ, ଆରତି ଜେନା, ଶରତ ଜେନା, ଟୁକୁନୁ ରଣା, ଜଗବନ୍ଧୁ କର, ଉମେଶ ଓଝା, ପ୍ରଭାକର ଦାଶ, ଭଗବାନ ଜେନା, ମାଧବାନନ୍ଦ ସାହୁ, ନାରାୟଣ ସାହୁଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ଉକ୍ତ ମେଳାରେ ବନ୍ତ ଓ ହାଟଡିହୀ ବ୍ଲକର ଶତାଧିକ ଶ୍ରଦ୍ଧାଳୁ ରୁଣ୍ଡିଭୂତ ହେଉଛନ୍ତି । ଆସନ୍ତା ବୁଧବାର ପୂର୍ଣ୍ଣାହୂତି ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ