ବଡ ବଡ଼ୁଆଙ୍କୁ ଡ଼ାକିବାକୁ ମିଳୁନି କାଉଁରିଆ କାଠି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗୋଟାଏ ଦିନ ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ପିଠା ପଣା କରି ବଡ଼ ବଡ଼ୁଆଙ୍କୁ ଘର ଆଗରେ ଡ଼ାକିଥାନ୍ତି ପରିବାର ଲୋକେ । ଏକ ସଙ୍ଗରେ କାଉଁରିଆ କାଠିକୁ ଜଳାଇ ସପରିବାର ସହ ସାହି ପଡ଼ୋଶୀ ଓ ପରିଜନ ମିଶି ଡ଼ାକନ୍ତି ବଡ଼ ବଡ଼ୁଆ ହୋ ଅନ୍ଧାରରେ ଆସ, ଦୀପାବଳି ଆଲୋକ ଦେଖି ଆମକୁ ଆଲୋକିତ କର ।ଏହା ଓଡ଼ପର୍ବ । କିନ୍ତୁ ଦୀପାବଳି ପୂର୍ବରୁ ଗାଁ ହାଟରେ ବଡ଼ ବଡ଼ୁଆଙ୍କୁ ଡ଼ାକିଆ ପାଇଁ ଆଉ କାଉଁରିଆ କାଠ ମିଳୁନାହିଁ । କାରଣ ଆଉ ନଳିତା ଚାଷ ପୂର୍ବ ଭଳି ଗାଁରେ ଚାଷୀ କରୁନାହାନ୍ତି । ସମସ୍ତେ ଧାନ ଓ ପରିବା ଚାଷ ପାଇଁ ମୁହାଁଉଛନ୍ତି । ଯେଉଁଥିପାଇଁ ଚଳିତ ଦୀପାବଳିରେ ଗାଁ ଗଣ୍ଡାରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ କାଉଁରିଆ କାଠି ବା ନଳିତା କାଠି ମିଳୁନାହିଁ । ୪ଟି କାଠି ବିଶିଷ୍ଟ ଗୋଟିଏ ବିଡ଼ାକୁ ୧୦ ଟଙ୍କାରେ ବିକ୍ରି ହେଉଛି । ହିଂଜିଳିକାଟୁ ବ୍ଳକରେ ନଳିତା ଚାଷର ପ୍ରସାର ପାଇଁ ବ୍ୟାପକ ଭିତିଭୁମି ଥିଲେ ମଧ୍ୟ ସରକାରଙ୍କ ତୃଟିପୁର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଏହି ଚାଷର ବିକାଶ ଆଶାନୁରୂପ ହୋଇପାରୁନାହିଁ । ହିଂଜିଳିକାଟୁ ବ୍ଳକର ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ଆଲପୁର, ଖରିଡ଼ା, ବଳରାମପୁର, ଶାସନଆମ୍ବଗାଁ ଆଦି ଅଂଚଳରେ ନଳିତା ଚାଷ ପାଇଁ ବ୍ୟାପକ ଭିତିଭୁମି ରହିଛି । ନଦୀ ଉପକୂଳବର୍ତି ଉପରୋକ୍ତ ଅଂଚଳରେ ପୂର୍ବରୁ ଚାଷୀ ମାନେ ନଳିତା ଚାଷ କରି ଗୁଜୁରାଣ ମେଂଟାଉଥିବା ବେଳେ ବର୍ତମାନ ଚାଷୀ ମାନେ ଧାନ ଓ ପନିପରିବା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଚାଷୀ ମାନଙ୍କ ସମସ୍ୟାକୁ ଦୁର କରିବା ପାଇଁ କୃଷି ବିଭାଗ ନାରାଜ । ନଳିତା ଚାଷ ସମୟରେ ଚାଷୀ ମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ନେଇ ଚାଷୀ ମାନଙ୍କପକ୍ଷରୁ ଶୁଣିବାକୁ ମିଳୁଛି । ନଳିତା ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଗଲେ ପୂର୍ବପରି ନଳିତା ଚାଷର ଆଦର ରହିବ ବୋଲି ବୁଦ୍ଧୀଜିବି ମହଲରେ ମତ ପ୍ରକାଶ ପାଇଛି ।


