ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ସମ୍ମାନ
ମୁମ୍ବାଇ: ବଲିଉଡ୍ରେ ନୱାଜୁଦ୍ଦିନ ସିଦ୍ଦିକିଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସ୍ୱତନ୍ତ୍ର ପରିଚୟ ତାଙ୍କୁ ତାଙ୍କ ଅଭିନୟ ଯୋଗୁ ମିଳିଛି । ଅଭିନୟରେ ତାଙ୍କର ଏକ ନିଜସ୍ୱ ଶୈଳୀ ରହିଛି । ସବୁ ପ୍ରକାର ଚରିତ୍ରରେ ସେ ନିଜକୁ ପୂରା ଫିଟ୍ କରି ଦିଅନ୍ତି । ଲିଡ୍ ରୋଲ୍ ହେଉ ଅବା ନେଗେଟିଭ୍ ଚରିତ୍ର ସବୁଥିରେ ତାଙ୍କ ଅଭିନୟ ଭାରି ଭଲ ଲାଗେ । ଦର୍ଶକଙ୍କୁ ହସାଇବାରେ ବି ସେ ମାହିର । କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଆଉ ଏଭଳି ଜଣେ ଦକ୍ଷ ଅଭିନେତାଙ୍କୁ ୟୁକେର ୱେଲ୍ସରେ ଆୟୋଜିତ ହେବାକୁ ଥିବା କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୯ରେ ସମ୍ମାନିତ କରାଯିବ । ସୂଚନା ଅନୁଯାୟୀ, ଅକ୍ଟୋବର ୨୪ରୁ ୨୭ ତାରିଖ ମଧ୍ୟରେ ୱେଲ୍ସରେ କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବ । ଏହି ଫେଷ୍ଟିଭାଲର ଶେଷ ଦିନରେ ନୱାଜ୍ଙ୍କୁ “ଗୋଲଡେନ୍ ଡ୍ରାଗନ୍’ ପୁରସ୍କାର ପ୍ରଦାନ କରାଯିବ । ସିନେମା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ । ନୱାଜୁଦ୍ଦିନ “କାହାନୀ’, “ପାନ୍ ସିଂହ ତୋମାର୍’, “ଗ୍ୟାଙ୍ଗସ୍ ଅଫ୍ ୱାସିପୁର’, “ବଦଲାପୁର’, “ମାଂଝି- ଦ ମାଉଣ୍ଟେନ୍ ମ୍ୟାନ୍’, “କିକ୍’, “ବଜରଙ୍ଗୀ ଭାଇଜାନ୍’ ଓ “ମମ୍’ ପରି ଫିଲ୍ମ ଏବଂ “ସିକ୍ରେଡ୍ ଗେମ୍ସ’ ଭଳି ୱେବସିରିଜରେ ଅଭିନୟ କରିଛନ୍ତି । ସୂଚନାଯୋଗ୍ୟ, କାର୍ଡିଫ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୬ରୁ ଆରମ୍ଭ ହୋଇଛି । ଆଣ୍ଡ୍ରେଆ ମୋଇଗର୍ନାଡ଼ ଓ ଚେରିଲ୍ ଇନଗ୍ରାମ୍ଙ୍କ ସହ ମିଶି ରାହିଲ୍ ଏହି ଫେଷ୍ଟିଭାଲ୍ ଆରମ୍ଭ କରିଥିଲେ ।


