ବଦଳିଲା କିଣାକିଣି ଅଭ୍ୟାସ
ନୂଆଦିଲ୍ଲୀ: କରୋନା ଭୂତାଣୁ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକଡାଉନ ଲୋକମାନଙ୍କ କିଣାକିଣି ଅଭ୍ୟାସ ବଦଳାଇ ଦେଲାଣି । ଲୋକମାନେ ଏବେ ପ୍ୟାକେଟ ଭିତରେ ଥିବା ସାମଗ୍ରୀ ଯଥା ସ୍ନାକ୍ସ, ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ସାମଗ୍ରୀ, ପ୍ୟାକେଟରେ ଥିବା ମାଂସ ଏବଂ ଫ୍ରୋଜେନ ଡେଜର୍ଟ ଆଦି କିଣିବାକୁ ଅଧିକ ପସନ୍ଦ କରୁଛନ୍ତି ।
ଦେଶର ତିନି ପ୍ରମୁଖ ରିଟେଲର ଫ୍ୟୁଚର ଗ୍ରୁପ, ମେଟ୍ରୋ ଏବଂ ଲଟସ ହୋଲସେଲ ଅନୁଯାୟୀ ପ୍ୟାକେଟରେ ଥିବା ସାମଗ୍ରୀ ଯଥା ବିସ୍କୁଟ ଓ ନୁଡୁଲସ ବିକ୍ରି ବହୁତ ବଢ଼ିଛି । ଲକଡାଉନ ପୂର୍ବରୁ ସମୟ ତୁଳନାରେ ଗ୍ରାହକମାନେ ଏହି ସବୁ ସାମଗ୍ରୀ ଅଧିକ ମାତ୍ରାରେ କିଣୁଛନ୍ତି । ରୋଷେଇ ଘରେ ବ୍ୟବହୃତ ହେଉଥିବା ସାମଗ୍ରୀ, ଇଲେକ୍ଟ୍ରିକାଲ ସାମଗ୍ରୀ, ଷ୍ଟେସନାରି ଓ ଷ୍ଟୋରେଜ ଉପକରଣର ଚାହିଦା ମଧ୍ୟ ବଢ଼ିଛି । ମେଟ୍ରୋ କ୍ୟାସ ଆଣ୍ଡ କ୍ୟାରି ଇଣ୍ଡିଆ’ ର ଏମଡି ଓ ସିଇଓ ଅରବିନ୍ଦ ମେଡିରାଟା କହିଛନ୍ତି ଯେ, ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ଲୋକମାନେ ଘରେ ରହି କାର୍ଯ୍ୟ କରୁଥିବାରୁ ପ୍ରକ୍ରିୟାକରଣ ହୋଇଥିବା ଏବଂ ପ୍ୟାକେଟରେ ଥିବା ଖାଦ୍ୟ ଅଧିକ ମାତ୍ରାରେ କିଣିଛନ୍ତି । ଆଗାମୀ କିଛି ଦିନରେ ଲକଡାଉନ କଟକଣା ହଟିଯିବାର ଆଶା ଦେଖାଯାଇଥିବାରୁ ଲୋକମାନେ ଆଉ ଛାନିଆ ହୋଇ ସାମଗ୍ରୀ କିଣିବା ବନ୍ଦ କରିଦେଇଛନ୍ତି । ପ୍ରଥମେ ସେମାନେ ଅଧିକ ମାତ୍ରାରେ ଜିନିଷ କିଣି ଘରେ ରଖୁଥିଲେ । ଏବେ ସେହି କାର୍ଯ୍ୟ ବନ୍ଦ କରିଦେଇଛନ୍ତି । ଯେହେତୁ ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ଓ ସହଜରେ ମିଳିଯାଉଛି ସେଥିପାଇଁ ଲୋକମାନେ ଘରେ ଥିବା ବେଳେ ଖାଇବା ଲାଗି ସ୍ନାକ୍ସ ଆଦି କିଣିବା ଉପରେ ମନୋନିବେଶ କରିଛନ୍ତି ।


