ବନ୍ୟାରେ ୨୫ ଲକ୍ଷ ପ୍ରଭାବିତ, ମୌସୁମୀ ବର୍ଷା ନେଇଛି ୧୯୦୦ ଜୀବନ ମହାରାଷ୍ଟ୍ରରେ ସର୍ବାଧିକ ୩୮୨ ମୃତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ତାରିଖରେ ଚଳିତ ବର୍ଷର ମୌସୁମୀ ଋତୁ ଶେଷ ହୋଇଥିଲେ ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରେ ଏବେ ବି ମୌସୁମୀ ସକ୍ରିୟ ରହିଛି । ଚଳିତ ମେ?ସୁମୀ ବର୍ଷାରେ ଦେଶବ୍ୟାପୀ ୧୯୦୦ ଲୋକଙ୍କ ମୃତ୍ୟୁ ହୋଇଛି, ୪୬ ଲୋକ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ୨୨ଟି ରାଜ୍ୟର ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମହାରାଷ୍ଟ୍ରରେ ସବୁଠୁ ଅଧିକ ୩୮୨ ଜଣଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ଏହାପରେ ପଶ୍ଚିମବଙ୍ଗରେ ୨୨୭ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଦେଶର ୩୫୭ ଜିଲ୍ଲା ପ୍ରଭାବିତ ହୋଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି । ଚଳିତ ମୌସୁମୀ ବର୍ଷା ଯୋଗୁଁ ୭୩୮ ଲୋକ ଆହତ ହୋଇଛନ୍ତି ଏବଂ ପ୍ରାୟ ୨୦,୦୦୦ ଜୀବଜନ୍ତୁ ପ୍ରାଣ ହରାଇଛନ୍ତି । ବର୍ଷା ଏବଂ ବନ୍ୟା ଯୋଗୁଁ ୧.୦୯ ଲକ୍ଷ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ୨.୦୫ ଲକ୍ଷ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୪.୧୪ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି । ଆଇଏମ୍ଡି ପକ୍ଷରୁ କୁହାଯାଇଛି ଯେ ଚଳିତ ମୌସୁମୀ ବର୍ଷା ୧୯୯୪ ମସିହା ପରେ ସବୁଠୁ ଅଧିକ ରହିଥିଲା । । ମହାରାଷ୍ଟ୍ରରେ ବନ୍ୟା ଯୋଗୁଁ ୨୨ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଏଠାରେ ୩୮୨ ଜଣ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି । ବିହାର ଏବେ ବନ୍ୟା ଘେରେ ଥିବାବେଳେ ଏଠାରେ ବନ୍ୟା ଯୋଗୁଁ ୧୬୧ ଜଣ ପ୍ରାଣ ହରାଇଛନ୍ତି ଏବଂ ୧.୨୬ ଲକ୍ଷ ଲୋକ ୨୩୫ଟି ରିଲିଫ୍ ଶିବିରରେ ରହିଛନ୍ତି । ମଧ୍ୟପ୍ରଦେଶରେ ୧୮୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେରଳରେ ୧୮୧ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଚଳିତ ମୌସୁମୀ ଋତୁରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଛି । ଆସାମରେ ୯୭ ଜଣଙ୍କ ମୃତ୍ୟୁ ହୋଇଛି । ଗୁଜରାଟରେ ମୌସୁମୀ ବର୍ଷା ଯୋଗୁଁ ୨୨ ଜିଲ୍ଲା ପ୍ରଭାବିତ ହୋଇଛି । ୧୬୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ଏଠାରେ ୧୭,୭୮୩ ଲୋକ ୧୦୨ଟି ରିଲିଫ୍ ଶିବିରରେ ଆଶ୍ରୟ ନେଇଛନ୍ତି । ୭ ଦିନ ଧରି ପାଟନା ଜଳବନ୍ଦୀ ପାଟନା: ବିହାରର ରାଜଧାନୀ ପାଟନା ଦୀର୍ଘ ୭ ଦିନ ଧରି ଜଳବନ୍ଦୀ ରହିଛି । ପାଟନାର ରାଜେନ୍ଦ୍ର ନଗର ସ୍ଥିତି ସବୁଠୁ ବେଶୀ ଶୋଚନୀୟ । ଏଠାରେ ଅନେକ ଖ୍ୟାତନାମା ଡାକ୍ତର, ଇଂଜିନିୟର, ପ୍ରଫେସର ଏବଂ ପ୍ରଶାସନିକ ଅଧିକାରୀ ରହୁଛନ୍ତି । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ମଧ୍ୟ ରାଜେନ୍ଦ୍ର ନଗରରେ ରହୁଛନ୍ତି । କିନ୍ତୁ ସେପ୍ଟେମ୍ବର ୨୮ ତାରିଖ ରାତିରୁ ରାଜେନ୍ଦ୍ର ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୨ ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ରହିଛନ୍ତି । ସପ୍ତାହେ ବିତି ଯାଇଥିଲେ ମଧ୍ୟ ସରକାର ବନ୍ୟା ପାଣି ନିଷ୍କାସନ କରିବାରେ ବିଫଳ ହୋଇଛନ୍ତି । ଲୋକେ ନାହିଁ ନଥିବା ଦୁର୍ଦ୍ଦାଶାର ସମ୍ମୁଖୀନ ହେଉଛନ୍ତି । ବିହାରର ୧୫ ଜିଲ୍ଲାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୪୯୪ ପଞ୍ଚାୟତ ଜଳବନ୍ଦୀ ରହିଥିବା ବେଳେ ରାଜ୍ୟରେ ଥିବା ୧୯ଟି ରିଲିଫ୍ ଶିବିରରେ ୧୦ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ୧୯ ଏନ୍ଡିଆରଏଫ୍, ୫ ଏସ୍ଡିଆରଏଫ୍ ଏବଂ ୧୦୦୦ ବୋଟ୍ ମୁତୟନ ହୋଇଛି । କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି ଏବଂ ସ୍ଥିତି ଖୁବ୍ ଶୀଘ୍ର ସୁଧୁରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ