ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ ପରଲୋକ
କୋଲକାତା: ଆଜି ସକାଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଗୁରୁଦାସ ଦାସଗୁପ୍ତାଙ୍କ କୋଲକାତାରେ ପରଲୋକ ହୋଇଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହାଇଥିଲା । ସେ ଦୀର୍ଘଦିନ ଧରି କିଡନି ରାଗରେ ପୀଡ଼ିତ ଥିଲେ । ଦେଶର ଜଣାଶୁଣା ବାମପନ୍ଥୀ ନେତା ଭାବେ ଜଣାଶୁଣା ଗୁରୁଦାସ ଦାସଗୁପ୍ତା ୧୯୩୬ ମସିହା ନଭେମ୍ବର ୩ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୩ ଥର ରାଜ୍ୟସଭା ଓ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୮୫ରେ ପ୍ରଥମ ଥର ରାଜ୍ୟସଭା ସାଂସଦ ହୋଇଥିଲେ । ଏହା ପରେ ସେ ୧୯୮୮ ଏବଂ ୧୯୯୪ରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଥର ରାଜ୍ୟସଭା ସଦସ୍ୟ ହୋଇଥିଲେ । ୨୦୦୪ରେ ଗୁରୁଦାସ ଦାସଗୁପ୍ତା ପ୍ରଥମ ଥର ପଶ୍ଚିମବଙ୍ଗର ପଂଶୁକୁରା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୦୯ରେ ଘାଟକୁଲା ଆସନରୁ ଦ୍ୱିତୀୟ ଥରଲାଗି ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ଏହି ସମୟରେ ସେ ଲୋକସଭାରେ ସିପିଆଇର ସଂସଦୀୟ ଦଳର ନେତା ମଧ୍ୟ ଥିଲେ । ସେ ପଶ୍ଚିମବଙ୍ଗ କ୍ରିକେଟ ସଂଘର ବି ସଦସ୍ୟ ଥିଲେ । ତାଙ୍କ ବିୟାଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।


