୩୦ଟି ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ,ଓଡ଼ିଶାର ୪ ଜିଲ୍ଲା ସ୍ଥାନ ପାଇବ

ନୂଆଦିଲ୍ଲୀ : ଆସନ୍ତା ମାସ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କର ମହତ୍ୱକାଂକ୍ଷୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲାରୁ ୩୦ଟି ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବେ । ସମୀକ୍ଷା କାର୍ଯ୍ୟକ୍ରମରେ ଓଡ଼ିଶାର ଉତ୍ତମ ପ୍ରଦର୍ଶନ କରିଥିବା ଦୁଇଟି ଜିଲ୍ଲା ନୂଆପଡ଼ା ଓ ରାୟଗଡ଼ା ଏବଂ ଖରାପ ପଦର୍ଶନ କରିଥିବା ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା କାର‌୍ୟ୍ୟକ୍ରମରେ ସ୍ଥାନ ପାଇବ ବୋଲି ଜଣାପଡ଼ିଛି । ଗତବର୍ଷ ଜାନୁଆରି ମାସରେ ଦେଶର ସର୍ବାଧିକ ଅନୁନ୍ନତ ୧୧୭ଟି ଆକାଂକ୍ଷୀ ଜିଲ୍ଲା ଅନ୍ତର୍ଗତ ଚିହ୍ନଟ କରାଯାଇ ସେଗୁଡ଼ିକର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ପ୍ରଥମଥର ପାଇଁ ଏହି ଯୋଜନା ଅନ୍ତର୍ଗତ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ କୃଷି ଭଳି ବିଭିନ୍ନ ସୂଚକାଂକ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀ ୩୦ଟି ଜିଲ୍ଲାର ସମୀକ୍ଷା କରିବେ । ନୀତି ଆୟାଗର ସୂତ୍ର ଅନୁସାରେ, ବିଭିନ୍ନ ସୂଚକାଂକ ଆଧାରରେ ଦେଶର ୨୦ଟି ଆକାଂକ୍ଷୀ ଜିଲ୍ଲା ମାନଙ୍କର ଉତ୍ତମ ପ୍ରଦର୍ଶନ ହୋଇଥିବା ବେଳେ ୧୦ ଜିଲ୍ଲାରେ ପ୍ରଦର୍ଶନ ଭଲ ହାଇନାହିଁ । ଉତ୍ତମ ପ୍ରଦର୍ଶନ କରୁଥିବା ୨୦ଟି ଜିଲ୍ଲା ମାନଙ୍କ ମଧ୍ୟରୁ ଉତ୍ତର ପ୍ରଦେଶର ବଳରାମ ପୁର, ସାମଭଦ୍ର ଓ ଚିତ୍ରକୁଟ୍ ବିହାରର ଶେଖାପୁରା ଓ ଔରଙ୍ଗାବାଦ କେରଳର ବେନାଡ଼ ମଧ୍ୟପ୍ରଦେଶର ବାରବାନୀ ଆସମର ବାରପେଟା ଓଡ଼ିଶାର ନୂଆପଡ଼ା ଓ ରାୟଗଡ଼ା ଭଳି ଜିଲ୍ଲା ସାମିଲ ଅଛି । ଖରାପ ପ୍ରଦର୍ଶନ କରିଥିବା ଦେଶର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ନାଗାଲାଣ୍ଡର କିପିରି, ଝାଡ଼ଖଣ୍ଡର ଗୁମଲା ଓ ଗରଡ଼ା, ରାଜସ୍ଥାନର ସିରାହି, ଛତିଶଗଡ଼ର ନାରାୟଣପୁର, ଆସମର ଦୁବୁରି, ବିହାରର ସୀତାମଡ଼ି ଓ କାଥିହାର ଏବଂ ଓଡ଼ିଶାର ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ସାମିଲ ଅଛି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମରେ ସମ୍ବନ୍ଧିତ ରାଜ୍ୟର ମୁଖ୍ୟ ସଚିବ ଓ ବିଭାଗୀୟ ସଚିବ ମାନଙ୍କ ଦ୍ୱାରା ସ୍ଥିତି ସମ୍ପର୍କରେ ଅବଗତ କରାଯିବ । ଖରାପ ପ୍ରଦର୍ଶନ କରୁଥିବା ଜିଲ୍ଲାମାନଙ୍କୁ କିଭଳି ଭାବେ ବିକଶିତ କରାଯିବ ସେନେଇ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯିବ । ପ୍ରକାଶ ଥାଉକି, ଦେଶର ୧୧୭ଟି ଆକାଂକ୍ଷୀ ଜିଲ୍ଲା ତାଲିକାରେ ଓଡ଼ିଶାର ୧୦ ଜିଲ୍ଲା ରହିଛି । ସେଗୁଡ଼ିକ ହେଲା, କୋରାପୁଟ୍‌, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ଗଜପତି ଓ ଢେଙ୍କାନାଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ