ବାଲେଶ୍ୱର-ଭଦ୍ରକ ସେବା ସମବାୟ ସମିତି କର୍ମଚାରୀ ସଙ୍ଘର ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ସମବାୟ ସମିତି ସମୂହ ଉପ-ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆରମ୍ଭ ହୋଇଛି । ଗତ ୩ ତାରିଖରେ ଅନୁଷ୍ଠିତ ସଙ୍ଗଠନର କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବିଶେଷ କରି ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବା ପ୍ରାଥମିକ କୃଷି ସମବାୟ ସିମିତିର କର୍ମଚାରୀଙ୍କୁ ସରକାରୀ କର୍ମଚାରୀରର ମାନ୍ୟତା ଦେବା, ୭ମ ବେତନ କମିଶନ ସୁପାରିଶ ଅନୁସାରେ ସମସ୍ତଙ୍କୁ ଦରମା ପ୍ରଦାନ କରିବା, ବାସୁଦେବପୁର ଓ ତିହିଡ଼ି ପ୍ରଭୃତି ପ୍ରାଥମିକ ସେବା ସମବାୟ ସମିତିର ସମ୍ପାଦକ ଓ ଡିଇଓଙ୍କୁ କରା ଯାଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା, ଆଲୋଚନା ସତ୍ତ୍ୱେ ୨୦୧୪ ମସିହାରୁ ପଡ଼ିଥିବା ବକେୟା ଧାନମଣ୍ଡି ଶ୍ରମିକ ଖର୍ଚ୍ଚ ବାବଦୀୟ ଅର୍ଥ ତୁରନ୍ତ ପ୍ରଦାନ କରିବା, ଧାନମଣ୍ଡିର ଶ୍ରମିକ ପାରିଶ୍ରମିକ କ୍ୱିଣ୍ଟାଲ ପ୍ରତି ୮ଟଙ୍କା ୬୭ପଇସାରୁ ୨୦ଟଙ୍କାକୁ ବୃଦ୍ଧି କରିବା, ପଞ୍ଜୀକୃତ ଚାଷୀଙ୍କ ଜମି ଓ ଧାନର ପରିମାଣ ଅନୁସାରେ ସେମାନଙ୍କୁ ଟୋକନ ପ୍ରଦାନ କରିବା, ଓଡ଼ିଶା ସମବାୟ ସମିତି ସମୂହ ନିବନ୍ଧକ, ଭୁବନେଶ୍ୱରଙ୍କ ନିର୍ଦ୍ଦେଶ ମୁତାବକ ତୁରନ୍ତ ସମବାୟ ସମିତି କର୍ମଚାରୀଙ୍କୁ ପଦୋନ୍ନତି ଦେବା ଆଦି ଦାବି ନେଇ ଧାରଣାରତ କର୍ମଚାରୀମାନେ ସ୍ଲୋଗାନ ଦେଇଥିଲେ । ଦାବି ପୂରଣ ବାବଦରେ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଧାନ କିଣା ନେଇ ସମିତି ସମ୍ପାଦକମାନେ ଚୁକ୍ତି କରିବେ ନାହିଁ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଅବସରରେ ସଂଗଠନ ପକ୍ଷରୁ ୧୦ଦଫା ଦବି ସମ୍ବଳିତ ସ୍ମାରକପତ୍ର ଉପ-ନିବନ୍ଧକଙ୍କୁ ପ୍ରଦାନ କରାଯାଇଥିଲା । ସଂଗଠନର ସାଧାରଣ ସମ୍ପାଦକ ଅରୁଣ ଉଦୟ ପାତ୍ର, ଉପ-ସଭାପତି କାଳୀକିଙ୍କର ଦାସ, ଆବାହକ ଜ୍ଞାନରଞ୍ଜନ ମିଶ୍ର, ଗୌରାଙ୍ଗ ବିଶ୍ୱାଳ, ବଳଭଦ୍ର ମହାପାତ୍ର, ଚନ୍ଦନେଶ୍ୱର ନାୟକ, ଗୋପୀନାଥ ମହାନ୍ତି, ନିରଞ୍ଜନ ପରିଡ଼ା ପ୍ରମୁଖ ଏହି ଗଣଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


