ବସୁଧା ଯୋଜନାରୁ ବଞ୍ଚିତ ଦନେଇପୁର ବାସୀ : ୩ବର୍ଷ ହେଲା କେବଳ ପାଇପ ଦେଖୁଛନ୍ତି 

ହାଟଡିହି, (ବିକାଶ ବିଶ୍ୱାଳ) :-ରାଜ୍ୟ ସରକାର ପ୍ରତି ପରିବାରକୁ ବିଷୁଦ୍ଧ ପାନୀୟ ଜଳ ଯୋଗାଇଦେବାପାଇଁ ଆରମ୍ଭ କରିଛନ୍ତି ବସୁଧା ଯୋଜନା । ଏହି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାର ରାଜ୍ୟର ଠିକାଦାରଙ୍କ ଦ୍ୱାରା କାମ କରାଇ ପ୍ରତିଗାଁକୁ ପାନୀୟ ଜଳଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଏହି ଯୋଜନାର ସୁଫଳତା ଲୋକଙ୍କ ପାଖରେ ପହଞ୍ଚିବ କି ନା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର ଠାରେ ୩୮କୋଟି ଟଙ୍କା ବ୍ୟୟ ଅଟକଳରେ ୧୯ଟି ଗାଁକୁ ବିଷୁଦ୍ଧ ପାନୀୟଜଳ ଯୋଗାଇଦେବାପାଇଁ ୨୦୧୮ମସିହାରେ ଏକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ୨୦୨୦ ସୁଧା ଏହି ପ୍ରକଳ୍ପରୁ ସମସ୍ତ ଗାଁକୁ ପାନୀୟଜଳ ଯୋଗାଇ ଦିଆଯିବାର ଲକ୍ଷ ରଖାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ତ ଗାଁକୁ ପାନୀୟଜଳ ଯୋଗାଇ ଦିଆଯାଇ ପାରିଲାନାହିଁ । ପଢ଼ିଆରିପଲ୍ଲୀ ପଞ୍ଚାୟତର ଦନେଇପୁର ଗାଁରେ ୨/୩ବର୍ଷ ହେଲା ପାଇପ ବିଛା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ ଲୋକେ ପାଣିଟୋପେ ପାଇ ପାରିଲେ ନାହିଁ । ଗାଁର ବ୍ରହ୍ମଣ ସାହିରେ ଶତାଧିକ ପରିବାର ବସବାସ କରୁଥିବାବେଳେ ମାତ୍ର ଦୁଇଟି ନଳକୂପ ଥିବାବେଳେ ଗୋଟିଏ ତାହା ମଧ୍ୟରୁ ଅଚଳ ହୋଇ ପଡି ରହିଛି । ତେଣୁ ଗୋଟିଏ ମାତ୍ର ନଳକୂପରେ ଗାଁର ବ୍ରହ୍ମଣ ସାହିର ଲୋକମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ସାଳନ୍ଦୀ ନଦୀରୁ ପାଣିଆଣି କାମ ଚଳାଉଛନ୍ତି ବୋଲି କହିଛନ୍ତି । ପାଇପଯୋଗେ ପାନୀୟଜଳ ଯୋଗାଣ ପାଇଁ ପ୍ରତି ଘରକୁ ଟ୍ୟାପ ଲାଗିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ସମ୍ଭବ ହେଲାନି । ଆଖପାଖ ଗାଁର ଲୋକମାନେ ଏହି ପ୍ରକଳ୍ପରୁ ପାଣି ପାଇପାରୁ ଥିବାବେଳେ ଏମାନେ ପାଣି ପାଇପାରୁ ନଥିବାରୁ ଗାଁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆମେ କେବଳ ସକାଳୁ ଉଠି ପାଇପ ଦର୍ଶନ କରୁଛୁ ପାଣି ନୁହଁ ବୋଲି ଗ୍ରାମର ବାସନ୍ତୀ ପାଣିଗ୍ରାହୀ, ଜୟନ୍ତୀ ପାଣିଗ୍ରାହୀ, ପ୍ରମିଳା ମିଶ୍ର, କନକଲତା ପଣ୍ଡା, ପଦ୍ମାବତୀ ପଣ୍ଡା, ବାସନ୍ତୀ ମିଶ୍ର, ଜଲ୍ଲି ପାଣିଗ୍ରାହୀ, ଶାନ୍ତିଲତା ଦେହୁରୀ, ସୁରଥ ଚନ୍ଦ୍ର ପାଣିଗ୍ରାହୀ, ଶରତ କୁମାର ମିଶ୍ର, ଅନନ୍ତ ପଣ୍ଡା, ମାଧବ ପ୍ରାଣିଗ୍ରାହୀ,  ନିରାକାର ପଣ୍ଡା, ବାବୁଲି ଭୂୟାଁ, ଅର୍ଜୁନ ଭୂୟାଁ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ରାସ୍ତାକାମ ବେଳେ ଠିକାଦାର ପାଇପ ଖୋଳି ଦେଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଅଳ୍ପ ଦିନ ଭିତରେ ଏହାକୁ ସମ୍ପୁର୍ଣ୍ଣ କରାଯାଇ ଦନେଇପୁର ଗାଁକୁ ଜଳଯୋଗାଣ କରାଯିବ ବୋଲି ସେ କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ