ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଭିସି ଯୋଗେ ଭିତ୍ତିପ୍ରସ୍ତର ସ୍ଥାପନ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ୩ଗୋଟି ବ୍ଲକ ସଦର ମହକୁମାରେ ଅତ୍ୟାଧୁନିକ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଭିଡିଓ କନ୍ଫେରେନ୍ସିଂ ଜରିଆରେ ଗତକାଲି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଜିଲ୍ଲାର ଗୁମ୍ମା, ନୂଆଗଡ ଏବଂ ଆର୍.ଉଦୟଗିରି ଠାରେ ଅତ୍ୟାଧୁନିକ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ସମ୍ମିଳନୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାର ଜଣାପଡିଛି । ଏନେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭିଡିଓ କନ୍ଫେରେନ୍ସ ଗୃହରେ ବ୍ରହ୍ମପରୁ ସାଂସଦ ଚନ୍ଦ୍ର ଶେଖର ସାହୁ , ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲିପ କୁମାର ମହାରଣା ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତିରେ ସାଂସଦ ଶ୍ରୀ ସାହୁ ଏହି ୩ଗୋଟି ଭିତ୍ତିପ୍ରସ୍ତର ଫଳକକୁ ଉଦ୍ଘାଟନ କରି କହିଛନ୍ତି ଯେ, ଗଜପତି ଜିଲ୍ଲାର ବିକାଶ ପାଇଁ ନବୀନବାବୁ ସବୁବେଳେ ଆଗଭର ହୋଇ ଉଠିଥାନ୍ତି । ଯେକୌଣସି ଯୋଜନା ମାଧ୍ୟମରେ ଜିଲ୍ଲାକୁ ଅଗ୍ରାଧିକାର ଦେଇଥାନ୍ତି । ଜିଲ୍ଲାର ଏହି ତିନିଗୋଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯଥା ଗୁମ୍ମା, ନୂଆଗଡ ଓ ଆର୍.ଉଦୟଗିରି ଭଳି ବ୍ଲକ ସଦର ମହକୁମାରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ପରିକଳ୍ପନା ହୋଇଥିଲେ ହେଁ ତାହା ସାହାକାର ହେବାକୁ ଯାଉଛି । ଏପରି ଆଗକୁ ମଧ୍ୟ ବହୁ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିବ ବୋଲି କହିଥିଲେ । ଏହି ଭିସି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ବରିଷ୍ଠନେତା ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ପାଣ୍ଟଲା ପ୍ରସାଦ ପ୍ରମୁଖଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତଥିଲେ ।


