ବହୁ ଚର୍ଚ୍ଚିତ ବାବୁଲି ମହାରଣାଙ୍କୁ ହତ୍ୟା ଉଦ୍ୟମର ମୁଖ୍ୟ ଅଭିଯୁକ୍ତ ଗିରଫ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଗତ ୨୦୨୧ ମସିହାରେ ବାବୁଲି ମହାରଣାଙ୍କୁ ହତ୍ୟା ଉଦ୍ୟମ ଘଟଣାର ୨ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ରାମନଗରପାଟଣାସ୍ଥିତ ଶ୍ରୀରାମ ଟ୍ରାକ୍ଟର ସୋରୁମର ମାଲିକ ବିବେକାନନ୍ଦ ମହାରଣାଙ୍କୁ ତାଙ୍କ ସୋରୁମରେ ୨୦୨୧ ମସିହା ଜୁଲାଇମାସ ୧୪ତାରିଖରେ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଥିଲା । ପୂର୍ବରୁ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରାଯାଇଥିବାରୁ ପୋଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ଏହି ଘଟଣାକୁ ନେଇ ବିବେକାନନ୍ଦଙ୍କ ସୁରକ୍ଷା କର୍ମୀ ମାନସ ରଞ୍ଜନ ମହାନ୍ତି ଦୁର୍ବୁତଙ୍କ ନାମରେ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଏତଲା ଦେଇଥିଲେ । ଏନେଇ ଥାନା ପକ୍ଷରୁ ୩୯୫/୨୧ରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଗୁଳିମାଡ ଘଟଣାରେ ମୋଟ ୯ଜଣ ଅଭିଯୁକ୍ତ ସଂପୃକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ପୂର୍ବରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪ଜଣ ଅଭିଯୁକ୍ତ ଦୀର୍ଘ ଦିନ ଧରି ଫେରାର ଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ସେକ ମହତାବ ଓ ତାଜୁଉଦ୍ଦିନ ଖାନ ଘରେ ଥିବାର କୈାଣସି ସୁତ୍ରରୁ ପୋଲିସ ଖବର ପାଇଥିଲା । ସଦର ଥାନା ଅଧିକାରୀ ପବିତ୍ର କୁମାର ମହାରଣାଙ୍କ ନିର୍ଦେଶରେ ସଦର ଥାନା ପୋଲିସ ଅଭିଯୁକ୍ତଙ୍କ ଘରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲେ । ଏହି ୨ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ୱୟଙ୍କ ନାମରେ ଜିଲ୍ଲା ଏବଂ ଜିଲ୍ଲା ବାହାରର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ପୋଲିସ ଠାରୁ ସୂଚନା ମିଳିଛି । କୋର୍ଟରେ ଅଭିଯୁକ୍ତ ଦ୍ୱୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଉପକାରାଗାରାକୁ ପଠାଇଦିଆଯାଇଥିବା ଜଣାପଡିଛି । କିନ୍ତୁ ଏହି ମାମଲାରେ ଅନ୍ୟ ୨ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଥିବା ଜଣାପଡିଛି ।


