ସ୍କୁଲଗାଡ଼ି ଓଲଟି ୮ ଛାତ୍ରଛାତ୍ରୀ ଆହତ
ନିମାପଡ଼ା, (ସନ୍ତୋଷ ଦାସ) :- ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ଖେଲାର ଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ର କୁ ଛାତ୍ରଛାତ୍ରୀ ଙ୍କୁ ନବା ଆଣିବା କରୁଥିବା ଏକ ଟାଟା ମାଜିକ ଗାଡ଼ି ବଉଳପଦା କେନାଲ ବନ୍ଧ ଠାରେ ଆଜି ଓଲଟି ପଡ଼ିବାରୁ ଗାଡ଼ିରେ ଥିବା ୧୨ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲ ପଠାଯାଇଛି । ନିମାପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି । ବସ ବ୍ୟତୀତ ଅନ୍ୟ କୌଣସି ଯାନ ରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ପରିବହନ କରାଯାଇପାରିବ ନାହିଁ ବୋଲି ସରକାର ନିୟମ କରିଛନ୍ତି । କିନ୍ତୁ ପୁରୀ ଜିଲ୍ଲା ନିମାପଡା, କାକଟପୁର, ଅସ୍ତରଙ୍ଗ , ଗୋପ, କୋଣାର୍କ ଅଞ୍ଚଳ ରେ ଥିବା ଘରୋଇ ବିଦ୍ୟାଳୟ ଗୁଡ଼ିକ ଏହି ନିୟମ କୁ ଖୋଲାଖୋଲି ଉଲଂଘନ କରି ଅଟୋ, ଟାଟା ଏସ ସି ଗାଡି ଯୋଗେ ଛାତ୍ର ଛାତ୍ରୀ ମାନଙ୍କୁ ବେଆଇନ ଭାବେ ପରିବହନ କରୁଛନ୍ତି । ସ୍ଥାନୀୟ ପୋଲିସ ଅଥବା ଜିଲ୍ଳା ପରିବହନ ବିଭାଗ ସବୁ ଜାଣି ନିରବ ବସିଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛିରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଏପରି ବିପଦଜନକ ଭାବେ ପରିବହନ କରାଯାଉଥିଲେ ମଧ୍ୟ ଶିକ୍ଷା ବିଭାଗ ଚୁପ୍ ବସିଥିବା ରୁ ରାଜ୍ୟ ର ଅନ୍ୟ ସ୍ଥାନ ରେ ବି ଏପରି କରାଯାଉଥିବା ଅଭିଯୋଗ ହେଉଛି । ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।


