ବାଦ୍ଶାହାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଫୁଟ୍ବଲ୍ରେ ନୂଆବର୍ଷକୁ ସ୍ୱାଗତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଂରାଜୀ ନବବର୍ଷ ୨୦୨୩କୁ ସ୍ୱାଗତ କରିବା ପାଇଁ ସ୍ମାର୍ଟ ନଗରୀ ଭୁବନେଶ୍ୱରରେ ନୂଆ ଆଶା, ଉଦ୍ଦୀପନାକୁ ନେଇ ସବୁଠି ଉତ୍ସବର ମାହୋଲ ଦିନସାରା ସହରରେ ଦେଖିବାକୁ ମିଳିଥିଲା । ସବୁଠି ଚାଲିଥିଲା ନୂଆବର୍ଷର ଶୁଭେଚ୍ଛା ଦିଆନିଆ । କିଏ କେକ୍ କାଟି ତ ଆଉ କେହି ବାଣ ଫୁଟାଇ ପଞ୍ଚତାରକା ହୋଟେଲ, କ୍ଲବରେ ନାଚିକୁଦି ସ୍ୱାଗତ କରୁଥିବା ବେଳେ ଓଡ଼ିଶା ଦୃଷ୍ଟିବାଧିତ ଫୁଟ୍ବଲ୍ ଖେଳାଳି ସଂଘର ଖେଳାଳିମାନେ ନୂଆବର୍ଷକୁ ନିଆରା ଓ ନିରାଡ଼ମ୍ବର ଭାବେ ପାଳନ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ବ୍ରାଜିଲ୍ର କିମ୍ବଦନ୍ତୀ ଫୁଟ୍ବଲ୍ ଖେଳାଳି ତଥା କିଙ୍ଗ୍ ଅଫ୍ ଫୁଟ୍ବଲ୍ ଭାବେ ପରିଚିତ ପେଲେଙ୍କ ବିୟୋଗରେ ଦୃଷ୍ଟିବାଧିତ ଖେଳାଳିମାନେ ଦୁଃଖ ପ୍ରକାଶ କରିବା ସହ ସର୍ବପ୍ରଥମେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନୂଆବର୍ଷକୁ ଖେଳାଳିମାନେ ଫୁଟ୍ବଲ୍ରେ ଇଂରାଜୀରେ ୱେଲ୍କମ୍-୨୦୨୩ ଲେଖି ନିରାଡ଼ମ୍ବର ରୂପେ ସ୍ୱାଗତ କରିଥିଲେ । କ୍ୟାପ୍ଟେନ୍ ବାପିନା ନାୟକ ଏବଂ ଦୃଷ୍ଟିବାଧିତ ଫୁଟ୍ବଲ୍ ଖେଳାଳିଙ୍କ କୋଚ୍ ତ୍ରିଲୋଚନ ବେଉରାଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଉତ୍କଳ ଦୃଷ୍ଟିବାଧିତ ସଂଘ ପରିସର ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବାଲୁକା ଶିଳ୍ପୀ ସୁବଳ ମହାରଣା, ପରିବେଶବିତ୍ ସୁଶାନ୍ତ ସାହୁ, ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସାମାଜିକ କର୍ମୀ ବାଳକୃଷ୍ଣ ରାଉତ, ଫୁଟ୍ବଲ୍ ଖେଳାଳି ଶୁଭସ୍ମିତା ରାଣୀ ରାଉତ ପ୍ରମୁଖ ଯୋଗଦେଇ ନୂଆବର୍ଷକୁ ସ୍ୱାଗତ କରିବା ସହ ଫୁଟ୍ବଲ୍ ଜଗତର ବାଦ୍ଶାହା ପେଲେ ଚିରଦିନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ହୋଇ ରହିବେ ବୋଲି ଆଶା ପ୍ରକଟ କରିବା ସହ ପେଲେଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।


