ବାନୀପଙ୍ଗା ସ୍କୁଲ ମୃତ୍ୟୁ ଘଟଣାରେ କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଲାଞ୍ଜିଗଡ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବୋର୍ଡି ଗାଁର ବିଶ୍ଵାମିତ୍ର ମାଝୀଙ୍କ ଝିଅ ୬ ବର୍ଷର ଝିଅ ରିମା ମାଝୀ ଵାଣିପଙ୍ଗା ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢୁଥିଲା ଓ ଗତ ୧୭ ଡ଼ିସେମ୍ବର ୨୦୨୨ ତାରିଖରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାକୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହେଇଥିଲା I ପରେ ତାର ଶବକୁ ବ୍ୟବଛେଦ ନକରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା I ସନ୍ଦେହଜନକ ଭାବେ ମୃତ୍ୟୁ ଓ ବ୍ୟବଛେଦ ନକରି ଶବ ହସ୍ତାନ୍ତର ଘଟଣାକୁ ନେଇ ମାନବ ଅଧିକାର କର୍ମୀ ଦିଲ୍ଲିପ କୁମାର ଦାସଙ୍କ ଅଭିଯୋଗ କ୍ରମେ ଜାତୀୟ ମାନବାଧିକାର କମିଶନ ଏହାକୁ କେଶ ନଂ ୪୪୯୫/୧୮/୦୬/୨୦୨୨ ଭାବେ ପଞ୍ଜିକୃତ କରି ଶୁଣାଣି କରିବାସହ ୨୨ ମାର୍ଚ ୨୦୨୩ ରେ କଳାହାଣ୍ଡି ପୋଲିସ ଅଧିକ୍ଷକଙ୍କୁ ୪ ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ପ୍ରଦାନ କରିବାପାଇଁ ନୋଟିସ ଜାରି କରିଛନ୍ତି I ସଠିକ ସମୟରେ ରିପୋର୍ଟ ଦାଖଲ ପାଇଁ ବିହିତ ପଦକ୍ଷେପ ନେବାକୁ ମଧ୍ୟ ପୋଲିସ ମହା ନିର୍ଦ୍ଧେଶକ ଓଡିଶାଙ୍କୁ ନୋଟିସର ନକଲ ପ୍ରେରଣ କରିଛନ୍ତି I ଏହାସହିତ ସୂଚେଇ ଦେଇଛନ୍ତି ଯେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ନକଲେ ମାନବ ଅଧିକାର ସୁରକ୍ଷା ଆଇନ ୧୯୯୩ ର ଧାରା ୧୩ ଅନୁଯାଇ କଳାହାଣ୍ଡି ଏସପିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନ ବାଧ୍ୟ ହେବେ I


