ବାମନଙ୍କ ଗାଁ
ଚାଇନାରେ ରହିଛି ଏକ ବିଶ୍ୱ ପ୍ରସିଦ୍ଧ ଗାଁ । ଏହି ଗାଁରେ ବାସ କରୁଥିବା ସବୁ ଲୋକ ବାମନ । ସେମାନଙ୍କର ଉଚ୍ଚତା ଛୋଟ ଯୋଗୁଁ ବାସ ଘର ମଧ୍ୟ ସାଧାରଣ ବାସଗୃହ ତୁଳନାରେ ଅନେକ ଛୋଟ । ଦେଖିଲେ ଲାଗିବ ସତେ ଯେପରି ଏକ କଣ୍ଢେଇ ଘର । ଏହି ଗାଁକୁ ଦେଖିବା ପାଇଁ ଦେଶ ବିଦେଶରୁ ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଚାଇନାରେ ଶିଞ୍ଚୁଆନ ପ୍ରଦେଶରେ ଥିବା ଏହି ଗାଁର ନାମ ହେଉଛି ୟାଙ୍ଗସୀ । ଏଠାକାର ବାସିନ୍ଦାଙ୍କ ଉଚ୍ଚତା ମାତ୍ର ୨ରୁ ୩ ଫୁଟ । ଛୋଟ ଛୋଟ କଣ୍ଢେଇ ପରି ଲୋକ ଟିକି ଟିକି ଗାଡିରେ ଓ ସାଇକେଲରେ ରାସ୍ତାରେ ଯିବା ଆସିବା କଲାବେଳେ ଦେଖଣାହାରୀ ବେଶ ଚକିତ ହୋଇଥାନ୍ତି । ଗାଁର ଲୋକଙ୍କର ଉଚ୍ଚତା ଏପରି କାହିଁକି ହୋଇଛି ସେନେଇ ବୈଜ୍ଞାନିକମାନେ କୌଣସି ସଠିକ ତଥ୍ୟ ଦେଇନଥିଲେ ମଧ୍ୟ ଅନେକ ଏହା ଜିନଗତ ତ୍ରୁଟି ଯୋଗୁଁ ହେଉଥିବା କହିଥାନ୍ତି । ଗାଁର ବାସିନ୍ଦା କୁହନ୍ତି ଯେ, ପୂର୍ବ ପୁରୁଷଙ୍କ ଅଭିଶାପ ଯୋଗୁଁ ଆଜି ଗାଁର ଅବସ୍ଥା ଏପରି ହୋଇଛି । ପୂର୍ବ ପୁରୁଷଙ୍କ ସଂସ୍କାର ଠିକ ଭାବେ କରାଯାଇନଥିଲା । ଫଳରେ ସେମାନଙ୍କ କୋପ ଗାଁରେ ପଡିଛି । ତେଣୁ ଦୀର୍ଘ ବର୍ଷ ଧରି ଗାଁରେ ଜନ୍ମ ହେଉଥିବା ଶିଶୁ ବାମନ ହେଉଛନ୍ତି । ଗାଁର ବୟସ୍କ ବ୍ୟକ୍ତିମାନେ କୁହନ୍ତି କୌଣସି ଅଜଣା ରୋଗ ଯୋଗୁଁ ଏପରି ହେଉଛି । ଯାହା ଦ୍ୱାରା ଗାଁରେ ଜନ୍ମୁଥିବା ଶିଶୁଙ୍କ ଉଚ୍ଚତା କମିଯାଉଛି । ହୁଏତ ଏଠିକାର ପରିବେଶ ଓ ପାଣିପାଗ ଯୋଗୁଁ ଏମିତି ହେଉଛି । ତେଣୁ ଅନେକ ଲୋକ ଭୟରେ ଗାଁ ଛାଡି ପଳାଉଛନ୍ତି । ତେବେ ଆଧୁନିକ ବିଜ୍ଞାନ ତଥା ଚିକିତ୍ସା ଶାସ୍ତ୍ର ମଧ୍ୟ ଏହାର ରହସ୍ୟ ଏପର୍ଯ୍ୟନ୍ତ ଜାଣିପାରିନାହିଁ ।


