ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଚଷାଖଣ୍ଡ ହାବଳେଶ୍ୱର ରାସ୍ତା ବିପର୍ଯ୍ୟସ୍ଥ

ହାଟଡିହି, (ଓ୍ବାଇଏନ୍ଏସ୍):ବାଲିବୋଝଇ ଭାରିଯାନ ଚଳାଚଳ ଯୋଗୁଁ ଚଷାଖଣ୍ଡ ହାବଳେଶ୍ୱର ରାସ୍ତାଟି ବିପର୍ଯ୍ୟସ୍ଥ ହୋଇପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୫ବର୍ଷ ପୁର୍ବେ କୋଟିଏରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ଏହି ରାସ୍ତାଟି ନିର୍ମାଣ କରାଯାଇଥିବାବେଳେ ଏବେ ସାଇକେଲ ଟିଏ ମଧ୍ୟ ଯିବା ଆସିବା କରିପାରୁ ନାହିଁ । ଏହି ରାସ୍ତା ଉପରେ ଗେଡମା, ଜଳସରପୁର, ହାବଳେଶ୍ୱର, ସାହାପୁର, ଚଷାଖଣ୍ଡ, ରତକଣା, ଆଇତିପୁର, ରାଘବପୁର, ଅମୃତପୁର, ଜାବିନିପୁର, ଆଦି ୧୦ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି । ଗତ ୭ବର୍ଷ ପୁର୍ବେ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପିଚୁରାସ୍ତା ନିର୍ମାଣ କରାଯାଇଥିଲା । ସେତେବେଳେ ଡଅଁର, ଗେଡମା, ଆଇତିପୁର ଆଦି ପଞ୍ଚାୟତର ଲୋକମାନେ ସହଜରେ ହାବଳେଶ୍ୱର ଦେଇ ଯାଜପୁର ଜିଲ୍ଲାକୁ ଯାତାୟତ କରିପାରିବେ ବୋଲି ଆଶା ବାନ୍ଧିଥିଲେ । କିନ୍ତୁ ହାବଳେଶ୍ୱର ବାଲିଘାଟରୁ ବାଲି ପରିବହନ ଦ୍ୱାରା ଲୋକମାନଙ୍କର ଏହି ଆଶା ଅଳ୍ପ ଦିନରେ ମଉଳିିଗଲା । ବାଲିବୋଝଇ ଗାଡି ଚଳାଚଳ ଯୋଗୁଁ ଦିନ କେଇଟା ଭିତରେ ଏହି ରାସ୍ତାଟି ସମ୍ପୁର୍ଣ୍ଣ ମାଟି ରାସ୍ତାରେ ପରିଣତ ହୋଇଗଲା । ତା ଭିତରେ ପୁଣି ବିରାଟ ବିରାଟ ଖାଲଖମା ସୃଷ୍ଟି ହେବାଦ୍ୱାରା ଲୋକମାନେ ଆଉ ସାଇକେଲ ନେଇ ଯିବା ଆସିବା କରିବାକୁ ନିରାପଦ ମଣିଲେ ନାହିଁ । ଏପରିକି କାମ କରୁଥିବା ଠିକାଦାର ୫ବର୍ଷ ପର୍ଯ୍ୟନ୍ତ ମରାମତି କରିବାକୁ ଥିଲେବି ସେ ମରାମତି କରିନଥିଲେ । ଏବେ ବର୍ଷା ହେବାପରେ ରାସ୍ତା ସାରା କେବଳ କାଦୁଅ ଓ କାଦୁଅ । ରାସ୍ତା ସାରା ଖାଲଖମା ସାଙ୍ଗକୁ ପଚପଚ କାଦୁଅ ଯୋଗୁଁ ରାସ୍ତାଟି ବିପର୍ଯ୍ୟସ୍ଥ ହୋଇ ପଡିଛି । ଫଳରେ ଗୋଟିଏ ବି ଲୋକ ଏହି ରାସ୍ତା ଦେଇ ଯାତାୟତ କରୁ ନାହାନ୍ତି । ଗେଡମା, ଆଇତିପୁର, ଡଅଁର ପଞ୍ଚାୟତର ଲୋକମାନେ ବାଧ୍ୟ ହୋଇ ଶାଳଣିଆଁ ବିଷ୍ଣୁପୁର ଦେଇ ହାବଳେଶ୍ୱର ଯିବାକୁ ବାଧ୍ୟ ହେଉଛନ୍ତି । ସରକାର ବାଲିଘାଟରୁ ଯେତିକି ରୟଲଟି ପାଉ ନାହାନ୍ତି ତାର ତିନି ଚାରିଗୁଣ ଅର୍ଥ ଏହି ରାସ୍ତା ନିର୍ମାଣରେ ଖର୍ଚ୍ଚ ହେଉଛି । ତୁରନ୍ତ ଏହି ରାସ୍ତା ନିର୍ମାଣ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରଫୁଲ ସେଠୀ, ମାନସ ଜେନା, ନିରଞ୍ଜନ ଦାସ, ବ୍ରଜ କିଶୋର ଜେନା, ଦୟାନିଧି ଜେନା, କହ୍ନେଇ ସେଠୀ, ଦିବାକର ପାତ୍ର, ମନୋରଞ୍ଜନ ଦାସ, ପ୍ରଦୀପ ଜେନା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ