ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା):ଭକ୍ତ ଓ ଭଗବାନଙ୍କ ମହାମିଳନର ଅନନ୍ୟ ପରମ୍ପରା ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରାରେ ଉତ୍ସବମୁଖର ହୋଇଛି ସହର ସମେତ ବାଲେଶ୍ୱର ଜିଲା । ଦୀର୍ଘଦିନର ଅବଧି ପରେ ଭକ୍ତଙ୍କୁ ଦର୍ଶନ ଦେବା ଉଦ୍ଦେଶ୍ୟରେ ରତ୍ନସିଂହାସନ ଛାଡ଼ି ବଡ଼ଭାଇ ଶ୍ରୀ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ନେଇ ୯ ଦିନ ପାଇଁ ଘୋଷଯାତ୍ରାରେ ବାହାରିଛନ୍ତି ବଡ଼ଠାକୁର । ସହରର ବାଣ୍ଠିଆ ଶ୍ରୀଜଗନ୍ନାଥ ମନ୍ଦିରରେ ବିଶେଷ ନୀତିପୂଜା ପରେ ଆୟୋଜିତ ଧାଡ଼ି ପହଣ୍ଡିରେ ତିନିଦିଅଁଙ୍କୁ ରଥାଋଢ଼ କରାଯାଇଥିଲା । ଟାଉନଥାନା ଅଧିକାରୀ ପର୍ଶୁରାମ ସାହୁ ଛେରା ପହଁରା କରିବା ପରେ ଶ୍ରଦ୍ଧାଳୁମାନେ ଭକ୍ତି ଗଦଗଦ ଚିତ୍ତରେ ରଥକୁ ଟାଣି ନେଇଥିଲେ ସିନେମାଛକ ସ୍ଥିତ ମାଉସୀଘର ଅଭିମୁଖେ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେଇ ରଥାଋଢ଼଼ ଦିଅଁଙ୍କୁ ଦର୍ଶନ କରିବା ସହିତ ରଥ ଟଣାରେ ସକ୍ରିୟ ସହଯୋଗ କରିଥିଲେ । ଘଣ୍ଟ ଘଣ୍ଟା ଭଜନ କୀର୍ତ୍ତନ ସାଙ୍ଗକୁ ଭକ୍ତଙ୍କ ଜୟ ଜଗନ୍ନାଥ ଓ ହରିବୋଲ ଧ୍ୱନିରେ ସେଠାରେ ଏକ ଭାବାବେଗ ପରିବେଶ୍ ଅନୁଭୁତ ହୋଇଥିଲା । ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏଥିରେ ଯୋଗଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ରଥ ଟାଣିଥିଲେ । ଅନୁରୂପ ଭାବେ ସହରର ପୁଲିସଲାଇନ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର, ସହରର ମଣ୍ଡଳବଜାର ଜଗନ୍ନାଥ ମନ୍ଦିର, ଝାଡ଼େଶ୍ୱର ମନ୍ଦିର ବେଢ଼ା ପରିସର ଜଗନ୍ନାଥ ମନ୍ଦିର, କାଦାରବାଦ, ବାଲିଆ, ନୂଆସାହି ସେମେତ ସହରର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି ।


