ବାଲେଶ୍ୱର ଜିଲ୍ଲାରେ ‘ଏକ ପଞ୍ଚାୟତ-ଏକ ଉତ୍ପାଦ’ କାର୍ଯ୍ୟକ୍ରମ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲାରେ “ଏକ ପଞ୍ଚାୟତ,ଏକ ଉତ୍ପାଦ” କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାର ଶୁଭାରମ୍ଭ କରାଯାଇଛି । ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ମାଧ୍ୟମରେ ଜିଲାର ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଉତ୍ପାଦ ଭିତ୍ତିକ କ୍ଲଷ୍ଟର ପ୍ରସ୍ତୁତ କରାଯାଇ ୩୦ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ମିଶନ ଶକ୍ତି ମା’ମାନଙ୍କ ଆର୍ଥିକ, ସାମାଜିକ ଉନ୍ନତି ତଥା ସେମାନଙ୍କୁ ନିରନ୍ତର ଜୀବିକା ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏକ ଛୋଟ ପ୍ରୟାସରୁ ଆରମ୍ଭ ହୋଇଥିବା ଅମୁଲର ସଫଳ କାହାଣୀର ଅବତାରଣା କରି ଜିଲାପାଳ ଶ୍ରୀ ଶିନ୍ଦେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ନିରନ୍ତର ଉଦ୍ୟମ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲାବାସୀଙ୍କ ପାଇଁ ରୋଜଗାରର ବିଭିନ୍ନ ପନ୍ଥା ସୃଷ୍ଟି କରିବା ସହିତ ସେମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମିଶନ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ମହିଳାମାନେ ରୋଜଗାରକ୍ଷମ ହୋଇପାରିଥିବା ବେଳେ ପ୍ରତି ପଞ୍ଚାୟତରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ କିଭଳି ଅଧିକ ରୋଜଗାରକ୍ଷମ ହୋଇପାରିବେ ସେଥିନିମନ୍ତେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ବିଡିଓମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଅନ୍ୟ ବିଭାଗରେ ଥିବା ଉତ୍ପାଦ ଓ ସେବାକୁ ବିନିଯୋଗ କରାଯାଇ ପଞ୍ଚାୟତର ଏସଏଚଜି ମା’ ମାନଙ୍କୁ ରୋଜଗାର ତଥା କ୍ଷୁଦ୍ରଶିଳ୍ପରେ ନିୟୋଜିତ କରାଯିବ । ଏଯାବତ୍ ଜିଲ୍ଲାରେ ୩୫୬ଟି ମହାସଂଘ, ୧୫୩ଟି ଉତ୍ପାଦକ ଗୋଷ୍ଠୀ ବିଭିନ୍ନ କାର୍ଯ୍ୟ ଯଥା ସବାଇ, ଟେରାକୋଟା, ଜଉ କଣ୍ଢେଇ, ବାଉଁଶ, ନଡିଆ କତା, ନଡିଆ ତେଲ, ପଥର ମୂର୍ତ୍ତି, ସିଲେଇ, ଝୋଟ, ଚାନ୍ଦୁଆ, ଟସର, ଧାନରେ ମୂର୍ତି, ପରିବା, ମହୁ, ଛତୁ ଆଦିରେ ଅନ୍ତର୍ଭୁକ୍ତ ଥିବା ବେଳେ ଏସବୁ ସହିତ ଅନ୍ୟାନ୍ୟ କାର୍ଯ୍ୟକୁ କିଭଳି ସମସ୍ତ ପଞ୍ଚାୟତରେ ଆଗାମୀ ୩ମାସ ମଧ୍ୟରେ ନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଜୋର ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପ-ଜିଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ନୀଳଗିରି ଉପ-ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଫକୀରମୋହନ ମେଡିକାଲ କଲେଜ ପ୍ରବନ୍ଧକ ମନୋରମା ଭୂୟାଁ, ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର, ଓରମାସ ଡେପୁଟି ସିଇଓ ଜିତେନ୍ଦ୍ରୀୟ ବିଶ୍ୱାଳ, ଡିପିସି-ମିଶନ ଶକ୍ତି ବିଶ୍ୱଜିତ୍ ପରିଡାଙ୍କ ସମେତ ଅନ୍ୟାନ୍ୟ ବିଭାଗର ଜିଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


