ବାଲେଶ୍ୱର ବାର ଆସୋସିଏସନର କୋର୍ଟ ବର୍ଜନ

ବାଲେଶ୍ୱର, (ସରୋଜ ପଣ୍ଡା) : ପୂର୍ବ ଘୋଷଣା ଅନୁସାରେ ବିଭିନ୍ନ ଦାବି ନେଇ ଜିଲା ବାର ଆସୋସିଏସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱରର ଆଇନଜୀବୀମାନେ ସୋମବାର କାର୍ଯ୍ୟବନ୍ଦ ସହ କୋର୍ଟ ବର୍ଜନ କରିଥିଲେ । ଆସୋସିଏସନର ସଭାପତି ଆଇନଜୀବୀ ମନୋଜ ନାୟକ ଓ ସମ୍ପାଦକ ସମ୍ବିତ କୁମାର ନନ୍ଦୀଙ୍କ ନେତୃତ୍ୱରେ ଓକିଲମାନେ ଜିଲା ଓ ଦୌରାଜଜଙ୍କ କୋର୍ଟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପିକେଟିଂ କରି ଜଜମାନଙ୍କୁ ପ୍ରବେଶ କରାଇ ଦେଇ ନଥିଲେ । ବାଲେଶ୍ୱର ଜିଲା ଓ ଦୌରାଜଜ ଭଗବାନ ପ୍ରଧାନଙ୍କ ସମେତ ବିଚାର ବିଭାଗର ଅନ୍ୟାନ୍ୟ ଜଜ ଓ ସଚିବ ଆନ୍ଦୋଳନ ସ୍ଥଳରେ ପହଞ୍ôଚ ବାର ଆସୋସିଏସନ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ଆସୋସିଏସନ ପକ୍ଷରୁ କରାଯାଇଥିବା ଦାବିର ଯଥାର୍ଥତା ରହିଥିବା ବେଳେ ପର୍ଯ୍ୟାୟ କ୍ରମେ ଏହାର ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲା ଜଜ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଏମିତିକି ରାଜ୍ୟ ଉଚ୍ଚ ନ୍ୟାୟଳୟ ମଧ୍ୟ ବାଲେଶ୍ୱରର ଆଇନଜୀବୀଙ୍କ ଦାବିର ଗୁରୁତ୍ୱକୁ ଗ୍ରହଣ କରି ରେଜିଷ୍ଟ୍ରାର ଦେଇଥିବା ପ୍ରତିଶ୍ରୁତି ଭିତ୍ତିକ ଚିଠି ସମ୍ପର୍କରେ ଜିଲା ଜଜ ଆସୋସିଏସନ କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ । ବାଲେଶ୍ୱରରେ ଖାଲି ପଡ଼ିଥିବା ଜଜ ପଦବୀ ପୂରଣ ପାଇଁ ନିକଟ ଭବିଷ୍ୟତରେ ୬ ଜଣ ଜଜ ନିଯୁକ୍ତ ହେବାକୁ ଯାଉଥିବା ଜିଲା ଜଜ ସୂଚନା ଦେଇଥିଲେ । ତୁରନ୍ତ ଏହି ଆନ୍ଦୋଳନରୁ ନିବୃତ ହେବା ପାଇଁ ଆସୋସିଏସନର କର୍ମକର୍ତ୍ତାଙ୍କୁ ସେ ପରାମର୍ଶ ଦେଇଥିଲେ । ତେବେ ସଂଗଠନର ସାଧାରଣ ପରଷଦ ବୈଠକର ନିଷ୍ପତ୍ତି କ୍ରମେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଅପରାହ୍ନରେ ପୁନଃ ବୈଠକ ଆୟୋଜନ ସହ ଏଥିରେ ଆଲୋଚନାନ୍ତେ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଆସୋସିଏସନ କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ଜିଲା ଜଜଙ୍କ ପରାମର୍ଶ ପରେ ଓକିଲ ସଂଘର ଆନ୍ଦୋଳନ ଆପାତତଃ ବନ୍ଦ ହୋଇଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଅପରାହ୍ନରେ ହୋଇଥିବା ବୈଠକରେ ଆନ୍ଦୋଳନ ସ୍ଥଗିତ ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ