ବାଲେଶ୍ୱର ସହର ମଧ୍ୟରେ ଭାରୀଯାନ ଚଳାଚଳ ଉପରେ କଟକଣା
ବାଲେଶ୍ୱର,(ଯୁଗାବ୍ଦ ନୁୂ୍ୟଜ୍): ଦୁର୍ଘଟଣା ହ୍ରାସ ଏବଂ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବାଲେଶ୍ୱର ସହରର କେତେକ ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ମୋଟର ଯାନ ଅଧିନୟମ ୧୯୮୮ର ଧାରା ୧୧୫ ଏବଂ ଓଡିଶା ମୋଟର ଯାନ ନିୟମ ୯୩ ଅନୁଯାୟୀ କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଏହି କଟକଣା ଜାରି କରିଛନ୍ତି । ସକାଳ ୮ଘଟିକାରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ସହରର କିଛି ପ୍ରମୁଖ ରାସ୍ତାରେ କୌଣସି ପ୍ରକାର ଭାରୀଯାନ (ଚାରିଚକିଆ ବା ତଦୁର୍ଦ୍ଧ) ଚଳାଚଳ ନିମନ୍ତେ ଅନୁମତି ଦିଆଯିବ ନାହିଁ । ବାଲେଶ୍ୱର ସହରର ଆଇ.ଟି.ଆଇ ଛକ ଠାରୁ ସୁରଜ ହୋଟେଲ ଛକ ଭାୟା ବସଷ୍ଟାଣ୍ଡ-ଫକୀରମୋହନ ଗୋଲେଇ, ପୋଲିସ ଲାଇନ ଛକଠାରୁ ହେମକାପଦା ଛକ ଭାୟା ଫକୀରମୋହନ କଲେଜ, ଫକୀରମୋହନ ଗୋଲେଇରୁ ଟାଉନ ଥାନା ଭାୟା ଫାଣ୍ଡି ଛକ, ଚିଡିଆପୋଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସିନେମା ଛକ ଓ ମୋତିଗଞ୍ଜ ବଜାର, ଷ୍ଟେସନ ଛକରୁ ପାଣିଟାଙ୍କି ଛକ ଭାୟା ଏଡିଏମ ଛକ-ଜିଲ୍ଲା ସ୍କୁଲ, ମିର୍ଜାପୋଖରୀ ରୁ ଛୁଆଳିଆ ମହାଦେବ ଛକ ଭାୟା ମାଣିଖମ୍ବ-ବାରବାଟୀ, ମିର୍ଜାପୋଖରୀ ରୁ ବାବିଲୋନ ଛକ ଭାୟା ଟାଉନହଲ-ସିନେମା ଛକ, ଟେକ୍ନିକାଲ ସ୍କୁଲ ଛକ ଠାରୁ ନାରୀସଂଘ ଭାୟା ଏଡିଏମ ଛକ-ରାଜାବଗିଚା, ଷ୍ଟେସନ ଛକ ଠାରୁ ପଢୁଆଁପଦା ଛକ ଭାୟା ନାରୀସଂଘ ରୁଟରେ ଏହି କଟକଣା ଏକ ମାସ (୧ ଅକ୍ଟୋବର ୨୦୧୯ ରୁ ୩୦ ଅକ୍ଟୋବର ୨୦୧୯) ପର୍ଯ୍ୟନ୍ତ ବଳବତର ରହିବ । ପରବର୍ତୀ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ଏହି କଟକଣାକୁ ବୃଦ୍ଧି କରାଯାଇ ପାରେ ବୋଲି ଆଂଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି । ଜାରି କରାଯାଇଥିବା କଟକଣାକୁ ସମସ୍ତେ ମାନିବା ସହିତ ଟ୍ରାଫିକ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।


