ବିଜୁ ଯୁବ ବାହିନୀ ଅର୍ଥର ଅଡିଟ୍ ଦାବିରେ ଏଜିଙ୍କୁ ଭେଟିଲା ବିଜେପି ଯୁବମୋର୍ଚ୍ଚା
ଭୁବନେଶ୍ୱର , (ୱାଇଏନ୍ଏସ୍): ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି ବିଜୁଯୁବ ବାହିନୀ ଗଠନ କରିଥିଲେ । ଓଡିଶା ଲୋକଙ୍କ ଝାଳବୁହା ପଇସା ଓ କରଦାତାଙ୍କ ଟିକସ ଅର୍ଥରେ ନିଜ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଶାସକ ବିଜେଡି ଯୁବକମାନଙ୍କୁ ବ୍ୟବହାର କରିଥିଲା । ଏବେ ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି । ଯୁବ ବାହିନୀ ନାଁରେ ବିଗତ ତିନି ବର୍ଷରେ ୪୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇଥିବା ଅର୍ଥର ଅଡିଟ କରିବା ଦାବିରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପ୍ରଧାନ ମହାଲାଖାଗାରଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ରାଜ୍ୟ ସରକାର ବିଜୁଯୁବ ବାହିନୀ କାହିଁକି ଗଠନ କରିଥିଲେ? ଯୁବ ବାହିନୀ ନାଁରେ ବିଗତ ତିନିବର୍ଷରେ ୪୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜକୋଷରୁ ଖର୍ଚ୍ଚ କରି ଓଡିଶାବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।୨୦୧୩ ଷ୍ଟେଟ ୟୁଥ ପଲିସିକୁ ଆଧାର କରି ଯୁବ ଏବଂ କ୍ରୀଡା ମନ୍ତ୍ରାଳୟ “ବିଜୁ ଯୁବ ଶକ୍ତିକରଣ ଯୋଜନା” ତିଆରି କରିଥିଲେ ତାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ । ୧୪ ମାର୍ଚ୍ଚ ୨୦୧୮ ରେ କ୍ୟାବିନେଟ୍ ବୈଠକରେ ଏହା ପାରିିତ ହୋଇଥିଲା । ସେତେବେଳେ କୁହାଗଲା ଓଡିଶାରେ ୮୦୦୦ ଯୁବ ବାହିନୀ ତିଆରି ହେବେ । ୬୭୯୯ ଗ୍ରାମ ପଂଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସପାଲିଟି ପାଇଁ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍ର ପ୍ରାବଧାନ କରାଗଲା । ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କଲାବେଳେ କହିଥିଲେ, ବିଜୁ ଯୁବ ବାହିନୀ ଯୁବବର୍ଗଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ, ଦାୟିତ୍ୱ ବୋଧ, ସମାଜ ସେବା, ନେତୃତ୍ୱ ଗଠନରେ ଉଲ୍ଲେଖନୀୟ କାର୍ଯ୍ୟ ଗ୍ରହଣ କରିବ । ଯୁବ ବାହିନୀର ଗୁଣ୍ଡାମାନେ ବାଇକ ଚୋରି କରିବା, ସାମ୍ବାଦିକଙ୍କୁ ମାଡ ମାରିବା, ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ କରିବା, ନିର୍ବାଚନ ବେଳେ ଲୋକଙ୍କୁ ଟଙ୍କା ବାଂଟି ଭୋଟ ହାତେଇବା ଆଦି କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ସିଏଜିଙ୍କ ନିର୍ଦ୍ଦେଶ ସତ୍ୱେ ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ୱକପ ଆଳ ଦେଖାଇ ବିଜୁ ଯୁବ ବାହିନୀ ଅର୍ଥର ଅଡିଟ୍ କରିନଥିଲେ । ଏବେ ଓଡିଶାର ଜନତାଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ବିଜୁଯୁବ ବାହିନୀର ଅର୍ଥକୁ ଅଡିଟ କରିବା ପାଇଁ ପ୍ରତିନିଧୀ ଦଳ ପ୍ରଧାନ ମହାଲାଖାଗାରଙ୍କୁ ନିବେଦନ କରିଛନ୍ତି ଏବଂ ଏହା ସହ ସାଢେ ୪ କୋଟି ଓଡିଆ ଏହାର ସୋସିଆଲ ଅଡିଟ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।ଏହି ପ୍ରତିନିଧୀ ଦଳରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର ଓ ଦୀପକ ଗୋଚ୍ଛାୟତ, ସଂପାଦକ ମନୋଜ ପଶ୍ଚିମକବାଟ, ପ୍ରକାଶ ଦଳେଇ, ସଂଯୋଜକ ନାରାୟଣ କର୍ମୀ, ସ୍ୱରଜିତ ମହାନ୍ତି, ରାଣା ପୃଥ୍ୱୀରାଜ ସିଂ ଠାକୁର, ସୁବ୍ରତ କୁମାର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ କୁମାର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।


