ଯାଜପୁର ଆଇଟିଆଇରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର
ଭୁବନେଶ୍ୱର , (ୱାଇଏନ୍ଏସ୍): ଯାଜପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଥର୍ମାଲ କଟିଂ ଏବଂ ୱେଲଡ଼ିଂ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରାୟ ୫.୨୫ କୋଟି ଟଙ୍କା ବ୍ୟୟରେ ଏହି ଉତ୍କର୍ଷ କେନ୍ଦ୍ର ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ । ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ରାଜ୍ୟ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ପ୍ରା. ଲିଃ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଆଜି ଏହି ଚୁକ୍ତିନାମାରେ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାର୍ଳର ନିର୍ଦ୍ଦେଶକ ରେଘୁ ଜି. ଓ ମେସର କଯିଂ ସିଷ୍ଟମସ୍ ଇଣ୍ଡିଆ ପ୍ରା.ଲିଃର ନିର୍ଦ୍ଦେଶକ ଉଦୟ ମୁଖାର୍ଜୀ ସ୍ୱାକ୍ଷର କରିଛନ୍ତି । ଯାଜପୁରର ଏହି ଉତ୍କର୍ଷ କେନ୍ଦ୍ର ନିମନ୍ତେ ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ ପକ୍ଷରୁ ବେରୋଜଗାର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ପାଇଁ ରହିଥିବା ପାଣ୍ଠି ବିନିଯୋଗ କରାଯିବ । ଯାଜପୁର ଶିଳ୍ପ କ୍ଲଷ୍ଟରରେ ଥବବା ସମସ୍ତ ଆବଶ୍ୟକତାକୁ ଉପରୋକ୍ତ ଉତ୍କର୍ଷ କେନ୍ଦ୍ର ପୂରଣ କରିବ ଏବଂଥର୍ମାଲ କଟିଂ ତଥା ୱେଲଡ଼ିଂରେ ଉତୀର୍ଣ୍ଣ ଆଇଟିଆଇ ବିଦ୍ୟାର୍ଥୀ ତଥା ଡିପ୍ଲୋମା ଇଂଜିନିୟରମାନଙ୍କୁ ଏହି କେନ୍ଦ୍ର ଅପ୍ସ୍କିଲ୍ କରାଇବ । ବେଙ୍ଗାଲୁରୁରେ କର୍ଣ୍ଣାଟକ ସରକାରଙ୍କ ସହଯୋଗିତାରେ ମେସର କଟିଂ ସିଷ୍ଟମସ୍ ଇଣ୍ଡିଆ ଅନୁରୂପ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଯାଜପୁରର ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଥର୍ମାଲ କଟିଂ ଏବଂୱେଲଡ଼ିଂ ବିଭାଗରେ କୌଶଳ ବ୍ୟବଧାନ ଦୂର ହେବା ସହିତ ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ହେବ ଏବଂ ନିଯୁକ୍ତି ସୁଯୋଗ ମିଳିବ । ମେସର କଟିଂ ସିଷ୍ଟମର ପ୍ରଶିକ୍ଷକମାନେ ଏକ ବର୍ଷ ପାଇଁ ତାଲିମ ଦେବେ ଏବଂ ଆଇଟିଆଇ ତଥା ପଲିଟେକ୍ନିକର ପ୍ରଶିକ୍ଷାର୍ଥୀମାନେ ମଧ୍ୟ ଏହି ଉତ୍କର୍ଷ କେନ୍ଦ୍ର ଦ୍ୱାରା ଉପକୃତ ହେବେ । ଏହି ପରିବେଶ ଅନୁକୂଳ ଆଧୁନିକ କର୍ମଶାଳା ବିଭିନ୍ନ ଶିଳ୍ପାନୁଷ୍ଠାନର ଅର୍ଦ୍ଧକୁଶଳୀ କର୍ମଚାରୀମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ସାହାଯ୍ୟ କରିବ । ପ୍ରଶିକ୍ଷକ ମାନଙ୍କୁ ତାଲିମ ଦେବା ପାଇଁ ଆଇଟିଆଇ ଏବଂ ପଲିଟେକ୍ ନିକର ୧୦ ପ୍ରଶିକ୍ଷଣ ଅଧିକାରୀଙ୍କୁ ମେସର କଯିଂ ସିଷ୍ଟମସ୍ ଇଣ୍ଡିଆ ଦ୍ୱାରା ପ୍ରତିଷ୍ଠିତ ଉତ୍କର୍ଷ କେନ୍ଦ୍ର ଅଥବା ନିଜସ୍ୱ ପ୍ଲାଂଟରେ ଦିଆଯିବ । ପ୍ରଶିକ୍ଷାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ସକାଶେ ବିଭିନ୍ନ ଅତ୍ୟାଧୁନିକ ଅଣବିନାଶକ ଓ ବିନାଶକ ପରୀକ୍ଷଣ ଉପକରଣ ଉପଲବ୍ଧ ହେବ । ସଫଳ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ।


