ବିଜେଡି ମହିଳା ଜିଲା ସାଧାରଣ ସମ୍ପାଦିକା ହେଲେ ରେବତୀ ନାୟକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୧୫ନଂ.ଜିଲା ପରିଷଦ ଜୋନ୍ ସଭ୍ୟା ରେବତୀ ନାୟକ ଭଦ୍ରକ ଜିଲା ବିଜେଡି ମହିଳା ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଶ୍ରୀମତୀ ନାୟକଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି । ଗତ ୨୦୦୨ ମସିହାରେ ଶ୍ରୀମତୀ ନାୟକ ବନ୍ତ ପଞ୍ଚାୟତରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ବନ୍ତ ବ୍ଲକର ଅଧ୍ୟକ୍ଷ ପଦବୀରେ ଅଧିଷ୍ଠିତ ହୋଇଥିଲେ । ସେହିପରି ଗତ ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ ବନ୍ତ ପଞ୍ଚାୟତର ସମିତି ସଭ୍ୟା ଥିଲେ । ଗତ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ପୁନର୍ବାର ସେ ୨ୟ ଥର ପାଇଁ ବନ୍ତ ବ୍ଲକର ଅଧ୍ୟକ୍ଷା ହୋଇଥିଲେ । ୨୦୧୭ ମସିହାରୁ ଅଦ୍ୟାବଧି ସେ ୧୫ନଂ. ଜୋନ୍ରେ ଜିଲା ପରିଷଦ ସଭ୍ୟା ଭାବେ କାର୍ଯ୍ୟ କରି ଆସୁଛନ୍ତି । ୨୦୦୦ ମସିହାରୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ବନ୍ତ ବ୍ଲକର ମହିଳା ସଂଗଠନକୁ ସୁଦୃଢ କରିବା ସହିତ ଜିଲା ମହିଳା ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ସଫଳତା ଅର୍ଜ୍ଜନ କରିଆସିଛନ୍ତି । ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ଆସ୍ତା ପ୍ରକଟ କରି ତାଙ୍କୁ ବିଜେଡି ମହିଳା ଜିଲା ସାଧାରଣ ସଂପାଦିକା ଭାବେ ନିଯୁକ୍ତ କରାଯାଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ବିଜେଡି ସାଧାରଣ ସଂପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ମହିଳା ସଂଗଠନକୁ ଅଧିକରୁ ଅଧିକ ସୁଦୃଢ କରିବେ ବୋଲି ଶ୍ରୀମତୀ ନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଅପରପକ୍ଷେ ଶ୍ରୀମତୀ ନାୟକଙ୍କର ଏହି ନିଯୁକ୍ତିକୁ ନେଇ ସମଗ୍ର ବନ୍ତ ବ୍ଲକର ବିଜେଡି ଶିବିରରେ ଖୁସିର ଲହରୀ ଖେଳି ଯାଇଛି ।


