ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲେଶ୍ୱରରେ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥିନୀ ଦୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନେତା ଅଜୟ କୁମାରଙ୍କ ତାଚ୍ଛଲ୍ୟ ପୂର୍ଣ୍ଣ ମନ୍ତବ୍ୟରେ ଏବେ ସମଗ୍ର ଦେଶରେ ବିବାଦୀୟ ସ୍ଥିତି ଉପୁଜିଛି । କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ଯୁବମୋର୍ଚ୍ଚାର ବାଲେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ଫାଣ୍ଡିଛକଠାରେ ଗୁରୁବାର ଅପରାହ୍ଣରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ତଥା ସଦର ନେତା ମାନସ ଦତଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଦଳୀୟ ଯୁବ କର୍ମୀମାନେ ଯୋଗଦେଇ ଅଜୟ କୁମାରଙ୍କ ସମେତ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଚରଣକୁ ତୀବ୍ର ନିନ୍ଦା କରିଥିଲେ । ଓଡ଼ିଶା ପାଇଁ ଗୌରବ ହୋଇଥିବା ଶ୍ରୀମତୀ ମୁର୍ମୁୁଙ୍କ ବାବଦରେ କଂଗ୍ରେସ ନେତାଙ୍କ ଏଭଳି ଟିପ୍ପଣୀକୁ କେବେ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଥିଲେ । ଅଜୟ କୁମାର ଓ ରାହୁଳ ଗାନ୍ଧୀ ତୁରନ୍ତ କ୍ଷମା ନ ମାଗିିଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସଦର ବିଜେପି ନେତା ଶୀ ଦତ କହିଛନ୍ତି । ଏହି ଅବସରେ ବିଜେପି ଯୁବ କର୍ମୀମାନେ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶପୁତଳିକା ଦାହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ସୁଜିତ ଦେବ, ବିଜୟ ପାଣିଗ୍ରାହୀ, ଦୁକୁଲୁ ଘଡ଼େଇ, ଗୌରାଙ୍ଗ ଦାସ, ପର୍ଶୁରାମ ବେହେରା, ପ୍ରବୀର ଦାଶ, ବିକାଶ ପାଢ଼ୀ, ଗଙ୍ଗାଧର ରାଉତ, ଅରୂପ ଜେନା, ସଂଯୁକ୍ତା ମହାପାତ୍ର, ସସ୍ମିତା ଶୁକ୍ଳା, ମଧୁସ୍ମିତା ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ