ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ସମିକ୍ଷା ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ ) : ଉଚ୍ଚ ବିଦ୍ୟାଳୟ ଉନ୍ନୟନ କାର୍ଯ୍ୟର ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ.ଗଣେଶ୍ୱର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ହାଟଡିହି ବ୍ଲକର ବିଡିଓ ବିନିତା ବିଜୟନୀ, ତହସିଲଦାର ଦିଲ୍ଲିପ କୁମାର ସାହୁ, ମୋ ସ୍କୁଲ ଅଭିଯାନର ସଭାପତି ପୁର୍ବତନ ବିଧାୟକ ମାୟାଧର ଜେନା, ହାଟଡିହିର ନବ ନିର୍ବାଚିତ ସରପଞ୍ଚ ଚିନ୍ମୟ କୁମାର ନାୟକ, ଆଦିକନ୍ଦ ପହି, ସୁଶିଲ କୁମାର ନାୟକ, ଜ୍ୟୋତି ଶଙ୍କର ପରିଡା, ମନମୋହନ ବେହେରା, ପ୍ରଧାନ ଶିକ୍ଷକ ଶିଶିର କୁମାର କର, ୱାର୍ଡସଭ୍ୟା ମିନତୀ ଜେନା ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ଚାଲିଥିବା ୫ଟି କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ ଆଲୋଚନା କରିବା ସହିତ କିପରି ଏହି କାର୍ଯ୍ୟ ଅତିଶିଘ୍ର ସମାପ୍ତ କରାଯିବ ସେନେଇ ଆଲୋଚନା କରିଥିଲେ । ବିଦ୍ୟାଳୟ ପରିସରରେ ମନରେଗା ଯୋଜନାରେ ଅନୁମୋଦିତ ହୋଇଥିବା ଖେଳ ପଡିଆ ଓ ପୋଖରୀର ନବୀକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଥିଲା । ସେହିପରି ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଘରଟିର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିଷ୍ପତି କରାଯିବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା ।


