ବେଆଇନ ବାଲି ବୋଝେଇ ହାଇୱା ଜବତ କଲା ଖଣି ବିଭାଗ

ହାଟଡିହି (ଓ୍ବାଇଏନଏସ): ଗତ କିଛିଦିନ ହେଲା ଆନନ୍ଦପୁର ଉପଖଣ୍ଡରେ ବେଆଇନ ବାଲି ପରିବହନ ବୃଦ୍ଧି ପାଇଛି। ରାତିହେଲେ ଶହ ଶହ ହାଇୱା ଯୋଗେ ବେଆଇନ ବାଲି ପରିବହନ ହେଉଛି।ବିଶେଷ କରି ଅନେକ ମାଫିଆ ଘାଟ ନିଲାମ ନେଇଥିବା କହି ମେସିନ ସାହାଯ୍ୟରେ ବାଲି ଉଠାଉଛନ୍ତି। ପୋଲିସ ଓ ଖଣି ବିଭାଗ ନିକଟରେ ସମସ୍ତ ସୂଚନା ଥିଲେ ବି ସେମାନେ ଚୁପ ରହୁଛନ୍ତି। ଯାହାଦ୍ୱାରା ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଏପରି ବାରମ୍ବାର ଅଭିଯୋଗ ପରେ ଗତକାଲି ରାତିରେ କେନ୍ଦୁଝର ଖଣି ବିଭାଗ ପକ୍ଷରୁ ବାହରିପୁର – ଗିରିଗାଁ ରାସ୍ତାରେ ଚଢ଼ାଉ କରି ୫ଟି ବାଲି ବୋଝେଇ ହାଇୱା ଜବଦ କରିବାରେ ସଫଳ ହୋଇଛି। ଆହୁରି ୩୦ ରୁ ଉର୍ଦ୍ଧ ଗାଡି ଘାଟକୁ ଯିବାପାଇଁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଖାଲି ଗାଡି ହୋଇଥିବାରୁ ଖଣି ବିଭାଗ ସେଗୁଡିକ ଜବଦ କରି ପାରିନି। ସେହିପରି ଚଢ଼ାଉ ବେଳେ ଗାଡି ଚାଳକ ମାନେ କୌଣସି ବୈଧ ଟ୍ରାଞ୍ଜିଟ ପରମିଟ ଦେଖାଇ ପାରିନଥିଲେ। ଚାଳକ ମାନେ ଖସିଯିବାରେ ସମର୍ଥ ହୋଇଛନ୍ତି। ଚଢ଼ାଉ ସମ୍ପର୍କରେ ଜାଣିପାରି ମାଫିଆ ମାନେ ସଙ୍ଗେ ସଙ୍ଗେ ଘାଟରୁ ମେସିନି ଗୁଡିକ ଉଠାଇ ନେଇ ଅନ୍ୟତ୍ର ଲୁଚାଇ ଦେବାରେ ସକ୍ଷମ ହୋଇଥିଲେ। ଏଠାରୁ ବାଲି ପରିବହନ ହେଉଥିଲେ ବି କୌଣସି ଟ୍ରାଞ୍ଜିଟ ପରମିଟ ଦିଆ ଯାଉ ନଥିବା ଗାଡି ଚାଳକ ମାନେ କହିଛନ୍ତି।ଖଣି ବିଭାଗ ରାସ୍ତାରେ ଚଢ଼ାଉ କରୁଥିବା ବେଳେ ଘାଟରେ କାହିଁକି ଚଢ଼ାଉ କରୁନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣି ବିଭାଗ ଅଧିକାରୀ ମାନେ ଜବଦ ଗାଡି ଗୁଡିକୁ ନନ୍ଦିପଦା ପୋଲିସକୁ ହସ୍ତାନ୍ତର କରିଥିବା ଜଣା ଯାଇଛି। ଏ ସମର୍କରେ ଖଣି ଅଧିକାରୀ ତାରିଣୀ ସିଂ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଚଢ଼ାଉ ଜାରି ରହିବ ଓ ଜବଦ ଗାଡି ନାଁରେ ମାମଲା ରୁଜୁ ହେବ। ଅନ୍ୟ ଏକ ସୂଚନାରୁ ଜଣା ଯାଇଛି ଯେ ଗତକାଲି ଖଣି ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ  ରାତିରେ ବାଲି ଘାଟ ଅଞ୍ଚଳକୁ ତଦାରଖ ପାଇଁ ଆସିଥିବା ବେଳେ ବାଲି ମାଫିଆ ମାନେ ରାସ୍ତାରେ ଏକ ଟ୍ରକକୁ ଆଡ଼ ପକାଇ ରାସ୍ତା ଅବରୋଧ କରିବାରୁ ଅଧିକାରୀ ମାନେ ଫେରି ଯାଇଥିବା ଶୁଣିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ