ବିଦ୍ୟାଳୟର ବିକାଶ ପାଇଁ ସହଯୋଗର ହାତ

ଭୁବନେଶ୍ୱର, : ନିକଟସ୍ଥ ଛତାବର ପଞ୍ଚାୟତ ଅଧିନସ୍ଥ ଚନ୍ଦକା-ଡମ୍‌ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଛି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କନ୍ଦଳେଇ । ଯଦିଓ ବିଦ୍ୟାଳୟଟି ସରକାରୀ ସ୍ୱୀକୃତି ପାଇଛି କିନ୍ତୁ ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ଗତ ୫ ବର୍ଷ ତଳେ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ପକ୍ଷରୁ ବିଦ୍ୟାର୍ଥୀମାନଙ୍କ ପାଇଁ ଆଦିବାସୀପଲ୍ଲୀରେ ସ୍କୁଲ୍ ଗୃହ ନିର୍ମାଣ କରାଯାଇଛି । ଗତ ସାମୁଦ୍ରିକ ଝଡ଼ ଫନିରେ ସ୍କୁଲ୍‌ର ଛପର ଉଡ଼ିଯିବା ସହ କାନ୍ଥରୁ ପଥର ଖସି ଅନେକ ଆସବାବ ପତ୍ର ଓ ପାଠ୍ୟ ଉପକରଣ ଇତ୍ୟାଦି ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା । ବିଦ୍ୟାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ବିଦ୍ୟାର୍ଥୀମାନଙ୍କର ରହିଥିବା ଅଭାବ ଓ ଅସୁବିଧା ସମ୍ପର୍କରେ ସୂଚନା ପାଇ ବାପୁଜୀନଗର ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ରଞ୍ଜନ କୁମାର ଦାସ ଅଣ୍ଟା ଭିଡ଼ି ସହଯୋଗର ହାତ ବଢାଇଛନ୍ତି । ନିଜ ପକେଟ ମନିରୁ ଖର୍ଚ୍ଚ କାଟ୍ କରି ବିଦ୍ୟାଳୟକୁ ୧ବର୍ଷ ପାଇଁ ଯୋଗାଇ ଦେଇଛନ୍ତି ପାଠ୍ୟ ଉପକରଣ ସାମଗ୍ରୀ ସହ ଟେବୁଲ୍ ଓ ପାଣି ପିଇବା ପାଇଁ ଏକ ୱାଟର ଫିଲ୍‌ଟର । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତରାୟ, ପ୍ରିୟବ୍ରତ ପଣ୍ଡା, ମହେଶ୍ୱର ନାୟକ, ଦିବାକର ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସାମାଜିକ କର୍ମୀଙ୍କ ଏହି ମହତ୍ କାର୍ଯ୍ୟକୁ ଗ୍ରାମବାସୀମାନେ ସାଧୁବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ